ଭିଡ଼ହିଂସା ରୋକିବାକୁ ଅଣ୍ଟା ଭିଡ଼ିଲେ: ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ରାଜନାଥଙ୍କ ନେତୃତ୍ୱରେ ମନ୍ତ୍ରୀଗୋଷ୍ଠୀ ବି ଗଠିତ
୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ
ନୂଆଦିଲ୍ଲୀ: ଗୋରକ୍ଷା ନାମରେ ବୃଦ୍ଧି ପାଉଥିବା ଭିଡ଼ ହିଂସାର ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ନେତୃତ୍ୱରେ ଏହା ଗଠିତ ହୋଇଛି। ଭିଡ଼ ହିଂସା ନିୟନ୍ତ୍ରଣ ପାଇଁ କି ପ୍ରକାର ପ୍ରତିକାର ମୂଳକ ପଦକ୍ଷେପ ନିଆଯାଇ ପାରିବ, ସେ ନେଇ ଏହି ଉଚ୍ଚସ୍ତରୀୟ କମିଟି ପରାମର୍ଶ ପ୍ରସ୍ତୁତ କରିବ। ଅନ୍ୟପକ୍ଷରେ ସରକାର କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ମଧ୍ୟ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି। ଏହି ମନ୍ତ୍ରୀଗୋଷ୍ଠୀ ନିକଟରେ ଉଚ୍ଚସ୍ତରୀୟ କମିଟି ଏହାର ଭିଡ଼ହିଂସା ବାବଦ ପରାମର୍ଶ ଦାଖଲ କରିବ। ମନ୍ତ୍ରୀଗୋଷ୍ଠୀ ଏହା ଉପରେ ତର୍ଜମା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବ। ମନ୍ତ୍ରୀଗୋଷ୍ଠୀରେ ବିଦେଶ ମନ୍ତ୍ରୀ, ଆଇନ ମନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ ଏବଂ ସାମାଜିକ ନ୍ୟାୟ ମନ୍ତ୍ରୀ ସଦସ୍ୟ ରହିବେ। ଅନ୍ୟପକ୍ଷରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଭିଡ଼ହିଂସା ନେଇ ଉଦ୍‌ବେଗ ପ୍ରକାଶ କରାଯାଇ କୁହାଯାଇଛି ଯେ ଆଇନ ଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ପାଇଁ ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ। ସରକାର ମଧ୍ୟ ପୂର୍ବରୁ ଏନେଇ ଅସନ୍ତୋଷ ପ୍ରକାଶ କରି ସାରିଛନ୍ତି ଏବଂ ହିଂସା ରୋକିବା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ, ଭିଡ଼ହିଂସାଜନିତ ହତ୍ୟାକାଣ୍ଡରେ ଉଦ୍‌ବେଗ ପ୍ରକାଶ କରି ସୁପ୍ରିମକୋର୍ଟ ଗତ ସପ୍ତାହରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଥିପାଇଁ ଉତ୍ତରଦାୟୀ ରହିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର