ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଗାର୍ଡ ଅଫ୍‌ ଅନର ଗ୍ରହଣ କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ଆଜି ରାଷ୍ଟ୍ର ପକ୍ଷରୁ ଆନୁଷ୍ଠାନିକ ଭାବେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଇସିନା ହିଲ୍‌ ସ୍ଥିତ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇ ସ୍ୱାଗତ କରା ଯାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱତନ୍ତ୍ର ଦେକ୍ଷରକ୍ଷୀମାନେ ଘୋଡ଼ସବାର ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତିଙ୍କ ଗାଡ଼ିକୁ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣକୁ ଆଣିଥିଲେ। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତିଙ୍କୁ ସ୍ୱାଗତ କରିଥିଲେ। ପରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ନିର୍ମିତ ସ୍ୱତନ୍ତ୍ର ମଞ୍ଚକୁ ରାଷ୍ଟ୍ରପତି ଟ୍ରମ୍ପ ଯିବା ପରେ ଉଭୟ ରାଷ୍ଟ୍ରର ଜାତୀୟ ସଙ୍ଗୀତର ଧୂନ୍‌କୁ ବଜା ଯାଇଥିଲା। ଏହାପରେ ଦେଶର ତିନି ସେନା ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରା ଯାଇଥିଲା। ଗାର୍ଡ ଅଫ୍‌ ଅନରର ନେତୃତ୍ୱ ନେଇଥିଲେ ଲେଫ୍ଟନାଣ୍ଟ ଆଶିଷ ଠାକୁର। ରାଷ୍ଟପତି ଭବନ ପ୍ରଙ୍ଗଣରେ ଗାର୍ଡ ଅଫ୍‌ ଅନର ଗ୍ରହଣ କରିବାରେ ଟ୍ରମ୍ପ ହେଉଛନ୍ତି ସପ୍ତମ ଆମେରିକୀୟ ରାଷ୍ଟ୍ରପତି।

ରାଷ୍ଟ୍ରପତି ଟ୍ରମ୍ପ ଗାର୍ଡ ଅଫ୍‌ ଅନର ନେବାପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ରାଜଘାଟ ଯାଇଛନ୍ତି। ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ହାଇଦ୍ରାବାଦ ହାଉସ୍‌କୁ ଯିବେ। ଏବଂ ସେଠାରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବାକୁ ଥିବା ଦ୍ୱିପାକ୍ଷିକ ଶିଖର ବୈଠକରେ ଅଂଶଗ୍ରହଣ କରିବେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତକାଲି (ସୋମବାର) ମଧ୍ୟାହ୍ନରୁ ନିଜର ଦୁଇ ଦିନିଆ ଭାରତ ଗସ୍ତ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଜମହଲ ବୁଲିସାରିବା ରାଷ୍ଟ୍ରପତି ଟ୍ରମ୍ପ ସପରିବାରେ ଆଗ୍ରାରୁ ତାଙ୍କର ଏୟାର ଫୋର୍ସ ଓ୍ଵାନ ବିମାନରେ ଆସି ଦିଲ୍ଲୀର ପାଲାମ ବିମାନ ବନ୍ଦରରେ ଅବତରଣ କରିବାପରେ ବିମାନ ବନ୍ଦରରୁ ସିଧା ସପରିବାରେ ଦିଲ୍ଲୀର ବିଳାସମୟ ହୋଟେଲ ଆଇଟିସି ମୌର୍ଯ୍ୟକୁ ଯାଇଥିଲେ। ସେଇଠାରେ ହିଁ ଟ୍ରମ୍ପ ତାଙ୍କ ପୂରା ପରିବାର ସହ ରାତି ବିତାଇଥିଲେ। ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତିଙ୍କ ସମେତ ଝିଅ ଇଭାଙ୍କା ଓ ଜ୍ୱାଇଁ କୁଶର ମଧ୍ୟ ଏହି ହୋଟେଲର ସୁପ୍ରସିଦ୍ଧ ଚାଣକ୍ୟ ସୁଟ୍‌ରେ ଅବସ୍ଥାନ କରିଥିଲେ। ଭାରତର ଅତିଥି ନମ୍ବର ଏକ ଭାବେ ବିବେଚିତ ହେଉଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ ରାତ୍ରୀ ରହଣି ପାଇଁ ମୌର୍ଯ୍ୟ ହୋଟେଲର ଚାଣକ୍ୟ ସୁଟ୍‌କୁ ବଛାଯାଇଥିଲା।

ସମ୍ବନ୍ଧିତ ଖବର