ଗୌତମ ଆଦାନୀଙ୍କୁ ମିଳିଲା ଆଶ୍ବସ୍ତି; ଧନୀ ତାଲିକାର ୩୪ରୁ ୩୦କୁ କୁଠିଲେ
ନୂଆଦିଲ୍ଲୀ: ମାସେରୁ ଅଧିକ ସମୟ ହେଲା ଧନୀ ତାଲିକାରୁ ଖସିଥିବା ଗୌତମ ଆଦାନୀଙ୍କୁ ଆଶ୍ବସ୍ତି ମିଳିଛି। ମଙ୍ଗଳବାର ପରି, ବୁଧବାର ଆଦାନୀ ଗ୍ରୁପର ସେୟାରରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ମୋଟ ସମ୍ପତ୍ତି ୨.୧୯ ଅରବ୍ ଡ଼ଲାର ବଢ଼ିଛି ଏବଂ ସେ ଧନୀ ତାଲିକାର ୩୪ରୁ ୩୦ଶ ସ୍ଥାନକୁ ଉଠିଛନ୍ତି । ଗତ ୨୪ ଜାନୁୟାରୀ ୨୦୨୩ରେ ଆଦାନୀ ଗୃପର ଇନଭେଷ୍ଟମେଣ୍ଟକୁ ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ଫାର୍ମ ପକ୍ଷରୁ ଅଭିଯୋଗ ହେବା ପରେ ଗୌତମ ଆଦାନୀଙ୍କ ଖରାପ ଦିନ ଆରମ୍ଭ ହୋଇଥିଲା। ସେହି ଦିନଠାରୁ ତାଙ୍କର ମୋଟ ସମ୍ପତ୍ତି ଲଗାତର ହ୍ରାସ ପାଇଥିଲା। ମାତ୍ର ଗୋଟିଏ ମାସରେ ୮୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଥିଲା ଆଦାନୀ ଗୃପ। ସମ୍ପତ୍ତି ହ୍ରାସ ପରେ ସେ ବିଶ୍ବ ଧନୀ ତାଲିକାର ୩୪ ସ୍ଥାନକୁ ଖସି ଆସିଥିଲେ।। ତେବେ ଫେବୃଆରୀ ୨୮, ମଙ୍ଗଳବାର ଓ ବୁଧବାର ତାଙ୍କ କମ୍ପାନୀର ସେୟାରରେ ଲାଭ ଦେଖାଯାଇଛି। ସେ ପୁଣି ୪ ପାହାଛ ଅତିକ୍ରମ କରି ଧନୀ ତାଲିକାର ୩୦ ସ୍ଥାନକୁ ଉଠିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖବର ଲେଖା ହେବା ପର୍ଯ୍ୟନ୍ତ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୩୯.୯ ବିଲିୟନ ଡ଼ଲାରରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହିଣ୍ଡେନବର୍ଗର ପ୍ରଭାବ ହେତୁ ଗୌତମ ଆଦାନୀଙ୍କ ସେୟାର ପ୍ରତିଦିନ ପ୍ରାୟ ୩ ବିଲିୟନ ଡଲାର କ୍ଷତି ସହିବାକୁ ପଡିଲା । ସେୟାର ମୂଲ୍ୟ ହ୍ରାସ ହେତୁ ଆଦାନୀ ଗ୍ରୁପର ବଜାର ପୁଞ୍ଜିକରଣ ମଧ୍ୟ ୧୦୦ ବିଲିୟନ ଡଲାରରୁ କମିଗଲା। ଏହି ରିପୋର୍ଟ ନିବେଶକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଲା। ଡିବି ପାୱାର, ପିଟିସି ଇଣ୍ଡିଆ ଏବଂ ଓରିଏଣ୍ଟ ସିମେଣ୍ଟ ସହିତ ହୋଇଥିବା ଚୁକ୍ତି ବି ଆଦାନୀ ଗୃପକୁ ହରାଇବାକୁ ପଡ଼ିଲା। କେବଳ ଏତିକି ନୁହେଁ, ତାଙ୍କୁ ସର୍ବସାଧାରଣ ଅଫର ଉପରେ ୨୦,୦୦୦ କୋଟି ଟଙ୍କା ଫେରାଇବାକୁ ପଡିଲା ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଆଦାନୀ ଗୃପର ବଜାର ପୁଞ୍ଜିରେ ପ୍ରାୟ ୩୦୦୦୦ କୋଟି ଟଙ୍କା ଯୋଡ଼ି ହୋଇଛି। ବିଏସଇ ସୂଚକାଙ୍କ ଅନୁଯାୟୀ ଏହା ୭.୧ ଲକ୍ଷ କୋଟିରେ ପହଞ୍ଚିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରାୟ ଏକ ମାସ ପରେ ଏପରି ବଡ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ଅତୀତକୁ ଦେଖିଲେ, ଜାନୁୟାରୀ ୨୪ ତାରିଖରୁ ଆଦାନୀ ଗ୍ରୁପର ସମ୍ପତ୍ତିରେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି ।