ନୂଆଦିଲ୍ଲୀ: ଲିଜେଣ୍ଡସ କ୍ରିକେଟ୍‌ ଲିଗର ଆୟୋଜନ ଭାରତର ଅନେକ ସହରରେ ହେଉଛି। ଏହି ମ୍ୟାଚର ସ୍ବତନ୍ତ୍ରତା ହେଉଛି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳିଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି।

Advertisment

ଇଣ୍ଡିଆ କ୍ୟାପିଟାଲ୍ସର  ଅଧିନାୟକ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଥିବା ବେଳେ ଗୁଜୁରାଟ ଜାଏଣ୍ଟସର ଅଧିକାରୀ ପୂର୍ବତନ ଭାରତୀୟ ଦ୍ରୁତ ବୋଲର୍‌ ଏସ୍ ଶ୍ରୀସନ୍ଥ ରହିଛନ୍ତି। ଏହି ଦୁଇଟି ଦଳ ମଧ୍ୟରେ ଖେଳ ଚାଲିଥିବା ବେଳେ ଦ୍ୱିତୀୟ ଓଭର୍‌ରେ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା, ଯାହାକୁ ଅଟାକାଇବା ପାଇଁ ଅମ୍ପେୟାର ଦୌଡ଼ି ଆସିଥିଲେ।

ଏହି ଘଟଣାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।  ମ୍ୟାଚ ପରେ ଶ୍ରୀସନ୍ଥ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେ କହିଥିଲେ, ‘‘ମୋର କୌଣସି ଭୁଲ ନଥାଇ ଖେଳ ଚାଲିଥିବା ବ‌େଳେ ଗମ୍ଭୀର ପଡ଼ିଆ ମଝିରେ ମୋ ସହ ଖରାପ ବ୍ୟବହାର କରିବା ସହିତ ଗାଳିଗୁଲଜ କରିଥିଲେ। ମୋ ମତରେ ଗୌତମ ହେଉଛନ୍ତି 'ମିଷ୍ଟର ଫାଇଟର’ । କେବଳ ‌ଯେ ମୋ ସହ ନୁହେଁ, ପ୍ରାୟତଃ ଗୌତମ ଖେଳାଳିଙ୍କ ସହ ବିନା କାରଣରେ ଝଗଡ଼ା କରିଥାଆନ୍ତି। ଯାହା ମୁଁ ଏହି ଘଟଣା ପରେ ଜାଣିବାକୁ ପାଇଛି। ଗୌତମଙ୍କୁ ଅନୁରୋଧ ସେ ଏଭଳି ସ୍ବଭାବରୁ ନିଜକୁ ନିବୃତ୍ତ ରଖନ୍ତୁ। ନଚେତ ଭଲ ହେବ ନାହିଁ। ଏହି ଘଟଣା ମୋ‌ ସହିତ ମୋର ପ୍ରଶଂସକ ଓ ପରିବାରଲୋକଙ୍କୁ ଆଘାତ ଦେଇଛି।’’