ବିଶ୍ବକପ ପୂର୍ବରୁ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ; ଏହି କାମ ନକଲେ ଭାରତ ବିଶ୍ବକପ ଜିତି ପାରିବ ନାହିଁ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ରେ ଭାରତୀୟ ଟିମ୍ ନିରାଶ କରିବା ପରେ ଏବେ ସମସ୍ତଙ୍କ ନଜରେ ବିଶ୍ବକପ ଉପରେ ରହିଛି। ଏମଧ୍ୟରେ ବିଶ୍ବକପକୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ଓପନର୍ ଗୌତମ ଗମ୍ଭୀର। ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବ‌ା ଅଷ୍ଟ୍ରେଲିଆ ବିପକ୍ଷ ତିନି ଦିନିଆ ଟି-୨୦ ସିରିଜ୍ ପୂର୍ବରୁ ଗୌତମ ଗମ୍ଭୀର ଏକ ବଡ଼ ଦାବି କରିଛନ୍ତି। ଗମ୍ଭୀର କହିଛନ୍ତି ଯେ ଯଦି ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ ସଫଳ ହୁଏ ନାହିଁ, ତେବେ ଟି-୨୦ ବିଶ୍ୱକପ ଜିତିପାରିବ ନାହିଁ।

ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ- ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହା ପରେ ଭାରତୀୟ ଦଳ ସେପ୍ଟେମ୍ବର ୨୮, ଅକ୍ଟୋବର ୨ ଏବଂ ଅକ୍ଟୋବର ୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଏମଧ୍ୟରେ ଭାରତର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ଅନୁଭବ କରିଛନ୍ତି ଯେ, ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ସିରିଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କାରଣ ଯଦି ଅରୋନ୍ ଫିଞ୍ଚଙ୍କ ନେତୃତ୍ୱାଧୀନ ଦଳକୁ ପରାସ୍ତ କରିବାରେ ଭାରତ ବିଫଳ ହୁଏ ତେବେ ବିଶ୍ବକପରେ ଭାରତ ଟାଇଟଲ୍ ଜିତିବାରେ ସମର୍ଥ ହେବ ନାହିଁ। ଏହା ପୂର୍ବରୁ କହିଛି ଏବଂ ପୁନର୍ବାର କହୁଛି, ଯଦି ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ ନକରେ ତେବେ ଟି-୨୦ ବିଶ୍ୱକପ ଜିତିପାରିବ ନାହିଁ।

ଏହା ସହ ସେ କହିଛନ୍ତି, ୨୦୦୭ ଟି-୨୦ ବିଶ୍ୱକପ କଥା ମନେ ପକ‌ାନ୍ତୁ। ସେମିଫାଇନାଲରେ ଆମେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲୁ, ଏହି କ‌ାରଣରୁ ବିଶ୍ବକପ ଆମ ହାତରେ ଥିଲା। ସେହିଭଳି ୨୦୧୧ ଦିନିକିଆ ବିଶ୍ୱକପରେ ଆମେ ଅଷ୍ଟ୍ରେଲିଆକୁ କ୍ୱାର୍ଟର ଫାଇନାଲରେ ପରାସ୍ତ କରିଥିଲୁ। ଏହା ପରେ ଯାଇ ଆମେ ଜିତିପାରିଥିଲୁ।

ସମ୍ବନ୍ଧିତ ଖବର