ନୂଆଦିଲ୍ଲୀ : କର୍ମଚାରୀଙ୍କୁ ଦରମା ଦେବା ଲାଗି ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ୫,୦୦୦ କୋଟି ଟଙ୍କାର ସହାୟତା ମାଗିଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ନିକଟରେ ଏହି ଦାବି ରଖିଛନ୍ତି। ସିସୋଦିଆ କହିଛନ୍ତି, କେବଳ କର୍ମଚାରୀଙ୍କ ଦରମା ବାବଦକୁ ସାଢେ ୩ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ୁଛି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ‌ଯୋଗୁଁ ଦୁଇ ମାସର ଜିଏସ୍‌ଟି ସଂଗ୍ରହ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷେ, କରୋନା ବିରୋଧରେ ଲଢୁଥିବା ସମ୍ମୁଖ ଯୋଦ୍ଧା ଡାକ୍ତର, ନର୍ସ, ପୁଲିସ ଆଦି କର୍ମଚାରୀଙ୍କୁ ଦରମା ଦେବା ଏବେ ଦିଲ୍ଲୀ ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ବର୍ତ୍ତମାନ ଅତି କମ୍‌ରେ ୫ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ଏଣୁ କେନ୍ଦ୍ର ସରକାର ଏହି ଅର୍ଥ ଦେବା ପାଇଁ ସିସୋଦିଆ ଦାବି କରିଛନ୍ତି।

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସିସୋଦିଆ ଏକ ଚିଠି ଲେଖିଛନ୍ତି। ଏହା ଉପରେ କେଜ୍ରିୱାଲ ଟ୍ୱିଟ୍‌ କରିଥିଲେ ଯେ ଏ ବେଳାରେ ଦିଲ୍ଲୀବାସୀଙ୍କୁ କେନ୍ଦ୍ର ସରକାର ସାହାଯ୍ୟ କରନ୍ତୁ। ଭାଜପା ସାଂସଦ ଗୌତମ ଗମ୍ଭୀର ପ୍ରତିକ୍ରିୟା ରଖିଥିଲେ ଯେ ପ୍ରତିଦିନ ସବୁ ସମ୍ବାଦପତ୍ରରେ ପ୍ରଥମ ପୃଷ୍ଠା ବିଜ୍ଞାପନ ଆସୁଥିଲା। ଏବେ ୫ହଜାର କୋଟି ଟଙ୍କା ନେଇ କ’ଣ ପୂରା ପ୍ରିଣ୍ଟ ମିଡ଼ିିଆକୁ କିଣିବାକୁ ଚାହୁଛନ୍ତି?