ନୂଆଦିଲ୍ଲୀ: ନାଗପୁରରେ ବଡ଼ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ରେ ସାନି ବିବାଦର ସୂତ୍ରପାତ କରିଛନ୍ତି। ସାଂସଦ ତଥା କଂଗ୍ରେସ୍ ନେତା ଶଶି ଥରୁର ତାଙ୍କୁ ପ୍ରଶଂସା କରି ଲେଖିଥିବା ‘ଟ୍ବିଟ୍‌’ର ଉତ୍ତର ରଖି ଗମ୍ଭୀର କେତେକ ବିତର୍କିତ କଥା କହି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ କରିଥିବା ଟ୍ବିଟ୍‌ରେ ଗମ୍ଭୀର ନିନ୍ଦୁକଙ୍କୁ କଟାକ୍ଷ କରିଛନ୍ତି। ଭାରତୀୟ ଦଳର ପରିବର୍ତ୍ତନ କାଳରେ ତାଙ୍କୁ ପ୍ରଶିକ୍ଷକ ପଦରୁ ବିଦା କରିବା ଲାଗି ଦାବି କରିଥିବା କିଛି ପୂର୍ବତନ କ୍ରିକେଟର୍‌ ଓ କ୍ରିକେଟ୍‌ପ୍ରେମୀଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ସେହିଭଳି ଭାରତୀୟ ଦଳ ଉପରେ ତାଙ୍କର ଅଖଣ୍ଡ ନିୟନ୍ତ୍ରଣ ନାହିଁ। ଏବେକାର ଧୂଳି ଝଡ଼ ଥମିଗଲା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଲେଖିଛନ୍ତି ଗମ୍ଭୀର। ନିଜ ଲେଖାକୁ ସ୍ପଷ୍ଟ ନକରି ଏହାକୁ ଜାଣିଶୁଣି ରହସ୍ୟମୟ କରିଛନ୍ତି ସେ। ଫଳରେ ତାଙ୍କୁ ନେଇ ପୁଣି ଥରେ ବାଦ ବିବାଦ ସୃଷ୍ଟି ହୋଇଛି। ଗମ୍ଭୀର ଲେଖିଛନ୍ତି, ଯେତେବେଳେ ଧୂଳି ଝଡ଼ ଥମିଯିବ, ପ୍ରଶିକ୍ଷକ ଦଳର ହର୍ତ୍ତାକର୍ତ୍ତା ବୋଲି ଥିବା ଭାବନା ଓ ଆକଳନ ସ୍ବଚ୍ଛ ଓ ନିର୍ମଳ ଜଳ ଭଳି ସ୍ପଷ୍ଟ ହୋଇଯିବ। ‌ସତ ପଦାକୁ ଆସିବ। ସେତେବେଳ ଯାଏ ମୋତେ ନିଜ ଲୋକ, ଯିଏ କି ନିଜନିଜ କ୍ଷେତ୍ରରେ ସର୍ବଶ୍ରେଷ୍ଠ, ସେମାନଙ୍କୁ ମୋ ବିପକ୍ଷରେ ଛିଡ଼ା କରାଯାଉଥିବା ଦେଖି ଚକିତ ଓ ଆନ୍ଦାଳିତ ହେଉଛି। ଗମ୍ଭୀର ଏହି ଟ୍ବିଟ୍‌ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି, ତାହା ସ୍ପଷ୍ଟ କରି ନାହାନ୍ତି। ତେବେ ଏହି ଟ୍ବିଟ୍ ସେ ଭାରତୀୟ କ୍ରିକେଟ୍‌ ଦଳର ଚୟନ ସମିତି ଓ ତା’ର ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଲେଖିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଭାରତୀୟ ଦଳରେ ତାଙ୍କ ଭୂମିକାକୁ ନେଇ ସାଧାରଣରେ ଗଢ଼ାଯାଉଥିବା ଭାବନାରେ ହତୋତ୍ସାହିତ ହୋଇ ସେ ଏଭଳି ଲେଖା ଲେଖିଥିବା ଚର୍ଚ୍ଚା ବି ଜୋର ଧରିଛି।

Advertisment

ଆହୁରି ପଢନ୍ତୁ- Black Gold Mine: ପାକିସ୍ତାନରେ ମିଳିଲା କଳା ସୁନାର ଖଣି! ମେଣ୍ଟିବ ଦେଶର ଭୋକ

ସୂଚନାଯୋଗ୍ୟ ଯେ ନାଗପୁରରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଅବସରରେ ଗମ୍ଭୀରଙ୍କୁ ଥରୁର ଭେଟିଥିଲେ। ଏହା ପରେ ଥରୁର ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଲେଖିଥିଲେ ଯେ ନାଗପୁରରେ ମୋ ପୁରୁଣା ବନ୍ଧୁ ଗୌତମ ଗମ୍ଭୀରଙ୍କ ସହ ଅତି ଭଲ ଓ ଖୋଲାଖୋଲି ଆଲୋଚନା ହେଲା। ପ୍ରଧାନମନ୍ତ୍ରୀଙ୍କ ପରେ ସମ୍ଭବତଃ ସେ ଭାରତର ଦ୍ବିତୀୟ କଠିନ ପଦରେ ଅଛନ୍ତି। ଲକ୍ଷଲକ୍ଷ ଲୋକ ତାଙ୍କୁ ଦୈନିକ କଟାକ୍ଷ ଓ ନିନ୍ଦା କରୁଛନ୍ତି। ହେଲେ ସେ ବରଫ ଭଳି ଶାନ୍ତ ରହି ନିଜ କାମ କରିଚାଲିଛନ୍ତି। ଦୃଢ଼ ନେତୃତ୍ବ ଓ ନିରବ ଏକାଗ୍ରତା ଲାଗି ସେ ପ୍ରଶଂସାର ପାତ୍ର। ତାଙ୍କୁ ମୁଁ ସଫଳତାର ଶୁଭକାମନା ଜ୍ଞାପନ କରୁଛି।

ଆହୁରି ପଢନ୍ତୁ- Coastal Security: ସମୁଦ୍ରତଟ ସୁରକ୍ଷା ପାଇଁ ଦୀର୍ଘମିଆଦି ଯୋଜନା ଆରମ୍ଭ କରାଯାଇଛି: ଡିଜିପି

ଗମ୍ଭୀରଙ୍କ ନାଟକୀୟ ଓ ଚର୍ଚ୍ଚିତ କାର୍ଯ୍ୟକାଳ

ଦେଢ଼ବର୍ଷ ତଳେ ଗମ୍ଭୀର ପ୍ରତିଶ୍ରୁତିର ସମ୍ଭାର ନେଇ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ସେବେଠାରୁ କିନ୍ତୁ ଭାରତୀୟ ଦଳ ତିନିଟି ଯାକ ଫର୍ମାଟ୍‌ରେ ବ୍ୟାପକ ପରିବର୍ତ୍ତନ ଦେଇ ଗତି କରି ଆସୁଛି। ରୋହିତ ଶର୍ମାଙ୍କ ଅବସର ପରେ ସୂର୍ଯ୍ୟକୁମାର ଯାଦବ ଭାରତର ନୂଆ ଟ୍ବେଣ୍ଟି-୨୦ ଅଧିନାୟକ ନିଯୁକ୍ତ ହେବା। ରୋହିତ, ବିରାଟ କୋହଲି ଓ ଆର୍‌ ଅଶ୍ବିନ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେବା ଭଳି ଘଟଣା ତାଙ୍କ କାର୍ଯ୍ୟକାଳରେ ଘଟିଛି। ପୁଣି ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ଶୁବମନ୍‌ ଗିଲ୍ ଫେରି ଉପଅଧିନାୟକ ନିଯୁକ୍ତ ହେବା ଏବଂ ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିବା। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡଠାରୁ ଭାରତ ଟେଷ୍ଟ୍‌ ଶୃଙ୍ଖଳା ହାରିବା ତାଙ୍କ ଦକ୍ଷତା ଓ ରଣନୀତିକୁ ବିବାଦ ଘେରକୁ ଆଣିଛି। ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ୨୦ଟି ଦିନିକିଆ ଖେଳି ୧୨ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି ଓ ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ତାଙ୍କ ପ୍ରଶିକ୍ଷଣରେ ଭାରତ ୧୯ଟି ଟେଷ୍ଟ୍‌ ମ୍ୟାଚ ଖେଳି ମାତ୍ର ୭ଟିରେ ବିଜୟ ହାସଲ କରିଥିବାବେଳେ ୧୦ଟିରେ ପରାଜୟ ବରଣ କରିଛି ଓ ୨ଟି ଡ୍ର’ ହୋଇଛି। ତାଙ୍କ ପ୍ରଶିକ୍ଷଣରେ ଭାରତ ମୋଟ ଉପରେ ୫୫ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ମାତ୍ର ୩୫ଟିରେ ବିଜୟୀ ହୋଇଛି