ନୂଆଦିଲ୍ଲୀ: ମାତ୍ର ୧୧ ମାସ ଭିତରେ ଟ୍ବେଣ୍ଟି-୨୦ ଓ ଟେଷ୍ଟ୍ କ୍ରିକେଟ୍କୁ ମିଳିତ ଭାବେ ବିଦାୟ ଜଣାଇଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି। ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ନିକଟରେ ରୋକୋ (ରୋହିତ+କୋହଲି) ଭାବେ ପରିଚିତ ଏହି ବ୍ୟାଟିଂ କିଂବଦନ୍ତି ଯୋଡ଼ି କିନ୍ତୁ ଦିନିକିଆ ଫର୍ମାଟ୍ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। ୨୦୨୩ ବିଶ୍ବକପ୍ରେ ଅପରାଜିତ ଭାରତ ଫାଇନାଲ୍ରେ ଅଷ୍ଟ୍ରେଲିଆ ନିକଟରୁ ହାରି ଉପବିଜେତା ହୋଇଥିଲା। ଫଳରେ ରୋକୋଙ୍କ ଦିନିକିଆ ବିଶ୍ବକପ୍ ଟେକି ଧରିବାର ସ୍ବପ୍ନ ଅଧୁରା ରହିଯାଇଥିଲା। ଏବେ ଉଭୟ ୨୦୨୭ ମସିହାର ପରବର୍ତ୍ତୀ ସଂସ୍କରଣରେ ଜିତିବା ଆଶା ରଖିଥିବେ ନିଶ୍ଚିତ। ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର କିନ୍ତୁ ଏଭଳି ବିଶ୍ବାସ ରଖିନାହାନ୍ତି। ୨୦୨୭ ବିଶ୍ବକପ୍ରେ ରୋକୋ ଖେଳିବା ସମ୍ଭାବନା ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି। ଉଭୟ ସେତେବେଳକୁ ଦଳରେ ନଥିବେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏଥି ପାଇଁ ସେମାନଙ୍କୁ କଠୋର ଚୟନ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଗାଭାସ୍କର କହିଛନ୍ତି ‘ମୁଁ ଭାବୁନାହିଁ ସେମାନେ ୨୦୨୭ ବିଶ୍ବକପ୍ରେ ଖେଳିବେ। ମୁଁ ସଚ୍ଚୋଟତାର ସହ ଏହା କହୁଛି। କିନ୍ତୁ କିଏ ଜାଣିଛି ଆସନ୍ତା ବର୍ଷ ବେଳକୁ ସେମାନେ ଯତି ଭଲ ଫର୍ମରେ ରହିଥିବେ, ଶତକ ପରେ ଶତକ ମାରୁଥିବେ ତେବେ ଈଶ୍ବର ବି ତାଙ୍କୁ ଦଳରୁ ବାଦ୍ ଦେଇପାରିବେ ନାହିଁ’।
କୋହଲିଙ୍କ ଊର୍ଜା ଓ ରୋହିତଙ୍କ ଧୈର୍ଯ୍ୟକୁ ପ୍ରଶଂସକ ମିସ୍ କରିବେ: ଅଶ୍ବିନ
ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଚାନକ ଟେଷ୍ଟ୍ କ୍ରିକେଟ୍ରୁ ଅବସର, ଭେଟେରାନ ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଅବିଶ୍ବାସ ଲାଗିଛି। ଏହି ୩୭ ବର୍ଷୀୟ ତାମିଲନାଡ଼ୁ କ୍ରିକେଟର୍ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ରେ କହିଛନ୍ତି ଯେ ମୁଁ ଜାଣି ନଥିଲି ବିରାଟ ଓ ରୋହିତ ଏକାଠି ଅବସର ନେବେ। ଏହା ଭାରତୀୟ କ୍ରିକେଟ୍ର ପରୀକ୍ଷାର ସମୟ ହେବ ଏବଂ ମୁଁ କହିବି ସତରେ ଗୌତମ ଗମ୍ଭୀରଙ୍କ ଯୁଗ ଆରମ୍ଭ। ଏବେ ଇଂଲଣ୍ଡ ଗସ୍ତରେ ନୂଆ ଦଳ ଯିବ। ଏହି ସମୟରେ ଯଶପ୍ରୀତ ବୁମ୍ରା ସବୁଠୁ ବରିଷ୍ଠ ଖେଳାଳି, ସେ ଦଳର ନେତୃତ୍ବ ନେବା ଦରକାର। ଶୁବମନ ଗିଲ୍ ଦୌଡ଼ରେ ଆଗରେ ରହିଛନ୍ତି ସତ କିନ୍ତୁ ପୂର୍ବରୁ ବୁମ୍ରା, ରୋହିତଙ୍କ ଡେaପୁଟି ରହି ନେତୃତ୍ବ ନେବାର ଅଭିଜ୍ଞତା ରଖିଛନ୍ତି। ପର୍ଥ ଓ ସିଡ୍ନିରେ ସେ ମଧ୍ୟ ଚମତ୍କାର କରିଥିଲେ। ତେବେ ଚୟନକର୍ତ୍ତା ଫିଟ୍ନେସ୍ ନେଇ ନିଷ୍ପତ୍ତି ନେବେ। ବୁମ୍ରା ବି ଅଧିକ କାର୍ଯ୍ୟଭାର ନେବାକୁ ଚାହୁନାହାନ୍ତି। ତୁମେ ଅଭିଜ୍ଞତାକୁ କେବେ କିଣିପାରିବନି। ପ୍ରଶଂସକମାନେ ବିରାଟଙ୍କ ଊର୍ଜା ଓ ରୋହିତଙ୍କ ଧୈର୍ଯ୍ୟକୁ ନିଶ୍ଚିତ ହାତଛଡ଼ା କରିବେ ବୋଲି ମୋର ବିଶ୍ବାସ।