ଲଖନଉ: ଉତ୍ତରପ୍ରଦେଶର ପୂର୍ବତନ ଖଣି ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଗଣଦୁଷ୍କର୍ମ ଏବଂ ପୋକସୋ ଆକ୍ଟ ମାମଲାରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ତିନିଜଣଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲାଗୁ କରାଯାଇଛି। ନଭେମ୍ବର ୧୦ ରେ କୋର୍ଟ ପ୍ରଜାପତି ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଓ ଆଜି ଦଣ୍ଡ ଶୁଣାଣି କରିଛନ୍ତି । ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ, ଯଦି ପୋକସୋ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୁଏ ତେବେ ଗଣଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ ପାଇଁ ବ୍ୟବସ୍ଥା ରହିଛି।

Advertisment

ଏହି ମାମଲାରେ ଗାୟତ୍ରୀ ପ୍ରଜାପତି, ଅଶୋକ ତିୱାରୀ ଏବଂ ଆଶିଷ କୁମାର ଶୁକ୍ଲାଙ୍କୁ ମହିଳାଙ୍କୁ ଦୁଷ୍କର୍ମ ଏବଂ ନାବାଳିକାକୁ ନିର୍ଯାତନା ଦେବା ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ପ୍ରମାଣ ଅଭାବରୁ ଉକ୍ତ ମାମଲାରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ସହ ଜିଲ୍ଲା କାରାଗାରରେ ଥିବା ଏହି ଚାରିଜଣ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଜେଲରୁ ମୁକ୍ତ କରାଯାଇଛି। ବୁଧବାର କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଗାୟତ୍ରୀଙ୍କ ସହ ସମସ୍ତେ ୨୦୧୭ ମସିହାରୁ ଜିଲ୍ଲା ଜେଲରେ ରହିଥିଲେ।

କୋର୍ଟ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ, ଅଶୋକ ତିୱାରୀ ଏବଂ ଆଶିଷଙ୍କୁ ଗଣଦୁଷ୍କର୍ମ ଏବଂ ପୋକସୋ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରମାଣ ଅଭାବରୁ ଅମରେନ୍ଦ୍ର ସିଂ ଓରଫ ପିଣ୍ଟୁ, ବିକାଶ ବର୍ମା, ଚନ୍ଦ୍ରପାଲ ଏବଂ ରୂପେଶଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ | ଚିତ୍ରକୁଟରେ ରହୁଥିବା ଜଣେ ମହିଳା ୨୦୧୭ ଫେବ୍ରୁଆରୀ ୧୮ ତାରିଖରେ ଏମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏମାନେ ମହିଳାଙ୍କ ସହିତ ସାମୁହିକ ଦୁଷ୍କର୍ମ କରିଥିଲେ ଓ ତାଙ୍କ ନାବାଳିକା ଝିଅ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିବା ପରେ ଲକ୍ଷ୍ନୌର ଗୌତମପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଥିଲା।