ଗାଜା : ଗାଜା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟର ଅଂଶ ଭାବରେ ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଯୁଦ୍ଧବିରତି ପରେ ଇସ୍ରାଏଲୀ ସେନା ପଛକୁ ହଟି ଯାଉଥିବା ବେଳେ, ଦୁଇ ବର୍ଷର ଯୁଦ୍ଧ ପରେ ହଜାର ହଜାର ବିସ୍ଥାପିତ ପାଲେଷ୍ଟାଇନୀ ନାଗରିକ ଧ୍ବଂସ୍ତସ୍ତୁପରେ ପରିଣତ ହୋଇଥିବା ନିଜ ନିଜ ଘରକୁ ଫେରୁଛନ୍ତି ।
ଶୁକ୍ରବାର ବିସ୍ଥାପିତ ପାଲେଷ୍ଟାଇନୀ ପରିବାରମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ସେମାନେ ନିଜର ଜିନିଷପତ୍ର ବୋଝେଇ ସାଇକେଲଗୁଡ଼ିକୁ ଠେଲି ଠେଲି ଗାଜାର ଉପକୂଳ ରାଜପଥ ଦେଇ ଗାଜା ସହର ଆଡ଼କୁ ଆସୁଥିଲେ । ସେହିପରି ଅନେକ ଲୋକ ଗାଜାର ୨ୟ ବୃହତ୍ତମ ସହର ଖାନ ୟୁନିସଆଡ଼କୁ ମଧ୍ୟ ଫେରୁଥିବା ଦେଖାଯାଇଥିଲା । ଉଭୟ ସହର ଇସ୍ରାଏଲର ଘନ ଘନ ଆକ୍ରମଣରେ ଧ୍ବଂସ୍ତସ୍ତୁପରେ ପରିଣତ ହୋଇଛି । ସହରର ସମସ୍ତ ଭିତ୍ତିଭୂମି, ଘର, କାର୍ଯ୍ୟାଳୟ ଆଦି ନଷ୍ଟ ହୋଇଯାଇଛି ।
ଫେରିଥିବା ଜଣେ ମଧ୍ୟବୟସ୍କ ବ୍ୟକ୍ତି ଅହମ୍ମଦ ଅଲ୍-ବ୍ରିମ୍ ତାଙ୍କ ଫେରିବା ବିଷୟରେ ମତାମତ ଦେଇ କହିଛନ୍ତି, "ଆମେ ଆମ ଅଞ୍ଚଳରେ ଫେରି ଆସିଛୁ, କିନ୍ତୁ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।" ଅହମ୍ମଦ କିଛି କାଠ ଖଣ୍ଡ ଧରି ତାଙ୍କ ସାଇକେଲ ଚଲାଇଥିଲେ, ଯାହାକୁ ସେ ଥଣ୍ଡାରୁ ରକ୍ଷା କରିବା ପାଇଁ ଇନ୍ଧନ ଭାବରେ ବ୍ୟବହାର କରିବାକୁ ଚାହୁଁଥିଲେ। "ଆମର ପିନ୍ଧିବା ପାଇଁ କୌଣସି ପୋଷାକ ନାହିଁ। ଆମ ପାଖରେ ଥଣ୍ଡାରୁ ରକ୍ଷା କରିବା ପାଇଁ ଶୀତକାଳୀନ ପୋଷାକ ମଧ୍ୟ ନାହିଁ । ସବୁକିଛି ନଷ୍ଟ ହୋଇଗଲା," ଅହମ୍ମଦ କହିଥିଲେ।