ଗାଜା: ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଅକ୍ଟୋବର ୧୦ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ଉଭୟପକ୍ଷ ଉଲ୍ଲଂଘନ କରି ପରସ୍ପରକୁ ଆକ୍ରମଣ କରିଛନ୍ତି। ଇସ୍ରାଏଲ ଏହି ଯୁଦ୍ଧବିରତିକୁ ୪୦ରୁ ଅଧିକ ଥର ଉଲ୍ଲଂଘନ କରିଛି, ଯେଉଁଥିରେ ୩ଦିନ ମଧ୍ୟରେ ଅତିକମ୍ରେ ୩୮ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ୧୪୩ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ଆମେରିକା ଦାବି କରିଛି ଯେ ହମାସ ଗାଜାରେ ନାଗରିକଙ୍କ ଉପରେ ଆକ୍ରମଣ ଯୋଜନା କରୁଛି ଏବଂ ବଡ଼ଧରଣର ଗଣହତ୍ୟା ପାଇଁ ଏହାର ସଦସ୍ୟମାନେ ପ୍ରସ୍ତୁତ ଅଛନ୍ତି। ତେବେ ହମାସ ଏଭଳି ଦାବିକୁ ଖଣ୍ଡନ କରିଛି।
ଦୁଇ ଦିନରେ ୩୮ ପାଲେଷ୍ଟାଇନ ନାଗରିକ ମୃତ
ଆମେରିକାର ଚେତାବନୀ: ଗାଜାରେ ଗଣହତ୍ୟା ଯୋଜନା କରୁଛି ହମାସ
ଗାଜା ସିଭିଲ୍ ଡିଫେନ୍ସ ମୁଖପାତ୍ର ମେହମୁଦ ବସାଲଙ୍କ କହିବା ଅନୁଯାୟୀ, ଇସ୍ରାଏଲ ବାୟୁସେନା ଆଜି ବିଭିନ୍ନ ପର୍ଯ୍ୟାୟରେ ବୋମା ବର୍ଷା କରିଛି ଏବଂ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହା ସହିତ ଇସ୍ରାଏଲ ସେନାର ଗୁଳିବର୍ଷାରେ ଗୋଟିଏ ପରିବାରର ୧୧ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତଦେହଗୁଡ଼ିକୁ ଆଲ୍-ଆହଲି ହସ୍ପିଟାଲରେ ରଖାଯାଇଛି। ଆଜି ରାଫା ଓ ଦକ୍ଷିଣ ଗାଜାରେ ହମାସ-ଇସ୍ରାଏଲ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି। ହମାସ ଆତଙ୍କୀମାନେ ଦୁଇଟି ଇସ୍ରାଏଲୀ ଟ୍ୟାଙ୍କ୍କୁ ଟାର୍ଗେଟ୍ କରିବା ପରେ ଏହି ଗୁଳି ବିନିମୟ ହୋଇଥିବା ରିପୋର୍ଟ ମିଳିଛି। ସୂଚନାଯୋଗ୍ୟ, ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ହମାସ ସମସ୍ତ ଜୀବିତ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିଛି ଏବଂ ୨୮ ଜଣ ମୃତ ବନ୍ଧକଙ୍କ ମଧ୍ୟରୁ ୧୨ ଜଣଙ୍କ ଶବ ଫେରାଇଛି। ଅନ୍ୟମାନଙ୍କ ଶବ ଉଦ୍ଧାର ଓ ହସ୍ତାନ୍ତର ପାଇଁ ସ୍ୱତନ୍ତ୍ର ଉପକରଣ ଆବଶ୍ୟକ ବୋଲି ହମାସ କହିଛି।
ଅନ୍ୟପକ୍ଷରେ ଇସ୍ରାଏଲ ୨୫୦ ଜଣ ପାଲେଷ୍ଟାଇନ ବନ୍ଦୀ ଓ ୧,୭୧୮ ଜଣ ଗାଜା ବାସିନ୍ଦାଙ୍କୁ ମୁକ୍ତ କରିଛି। ଇସ୍ରାଏଲ କହିଛି ଯେ ରାଫା ସୀମା ଖୋଲିବା ନିଷ୍ପତ୍ତି ହମାସର ବନ୍ଧକଙ୍କ ଶବ ଫେରାଇବା ପ୍ରକ୍ରିୟା ଉପରେ ନିର୍ଭର କରୁଛି। ଅନ୍ୟପକ୍ଷରେ ରିଲିଫ୍ ପହଞ୍ଚିବାରେ ସମସ୍ୟା ହେଉଥିବାରୁ ଗାଜାରେ କ୍ଷୁଧା ସ୍ଥିତି ଉତ୍କଟ ରହିଛି। ଯୁଦ୍ଧବିରତି ଉଲ୍ଲଂଘନ ନେଇ ଆମେରିକା, ଇଜିପ୍ଟ, କତର ଓ ତୁର୍କୀ ଭଳି ମଧ୍ୟସ୍ଥ ରାଷ୍ଟ୍ରମାନଙ୍କୁ ସୂଚନା ପ୍ରଦାନ କରିଛି। ଦୁଇ ବର୍ଷର ଗାଜା ଯୁଦ୍ଧରେ ୬୮,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି, ଏବଂ ୧୦,୦୦୦ରୁ ଅଧିକ ଶବ ଏବେ ବି ଧ୍ୱଂସସ୍ତୂପ ତଳେ ରହିଛି। ପ୍ରତିଦିନ ୬୦୦ ଟ୍ରକ୍ ରିଲିଫ୍ ଆବଶ୍ୟକ ଥିବାବେଳେ ଅତିକମ୍ ସାହାଯ୍ୟ ମିଳୁଛି। ଗାଜାରେ ୫ ଲକ୍ଷରୁ ଅଧିକ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/20/fhfshhfsxvb-2025-10-20-03-06-38.jpg)