ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧରେ ୪ର୍ଥ ଦିବସ ସୁଦ୍ଧା ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଗଲାଣି। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ହମାସ୍‌ ଗୋଷ୍ଠୀ ଦ୍ବାରା ଇସ୍ରାଏଲରେ ହୋଇଥିବା ବର୍ବର ଆକ୍ରମଣର ପାଲଟା ଜବାବ ଦେଇ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌କୁ ଛାରଖାର କରିଚାଲିଛି। ଇସ୍ରାଏଲର ପ୍ରବଳ ପ୍ରତିରୋଧ ଭିତରେ ବି ହମାସ୍‌ ଯୁଦ୍ଧକୁ ଅଧିକ ଭୟଙ୍କର କରିବାରେ ସମର୍ଥ ହୋଇଛି। ହମାସ୍‌ ଆଜି ଏକ ନୂଆ ଧମକ ଦେଇ କହିଛି ଯେ ନାଗରିକଙ୍କୁ ଟାର୍ଗେଟ୍‌ କରି ହେଉଥିବା ପ୍ରତିଟି ବିସ୍ଫୋରଣର ପାଲଟା ଜବାବରେ ପଣବନ୍ଦୀ ରଖାଯାଇଥିବା ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରାଯିବ ଏବଂ ଏହାର ପ୍ରସାରଣ କରାଯିବ। ଗାଜାରେ ହମାସ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ୧୫୦ରୁ ଅଧିକ ଇସ୍ରାଏଲୀ ନାଗରିକ ଏବଂ ସୈନିକଙ୍କୁ ପଣବନ୍ଦୀ କରିନେଇଛି ବୋଲି ଇସ୍ରାଏଲ କହିଛି। ଇତିମଧ୍ୟରେ ଗାଜା ନିକଟସ୍ଥ ୧୨ରୁ ଅଧିକ ସହରରୁ ଯୁଦ୍ଧକାଳୀନ ଭିତ୍ତିରେ ହଜାର ହଜାର ଇସ୍ରାଏଲୀଙ୍କୁ ଖାଲି କରାଯାଉଛି। ଗାଜା ସୀମାରେ ଡ୍ରୋନ୍‌ ଏବଂ ଟ୍ୟାଙ୍କ୍‌ ମୁତୟନ କରାଯାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଆମେ କେବଳ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛୁ। ତେବେ ଆମେ‌ ଆମ ଶତ୍ରୁଙ୍କ ସହ ଆଗାମୀ ଦିନରେ ଯାହା କରିବୁ ତାହାର ପ୍ରଭାବ ପିଢ଼ି ପରେ ପିଢ଼ି ଧରି ସେମାନେ ଭୋଗ କରିବେ।

Advertisment

ସୋମବାର ଦିନ ଦକ୍ଷିଣ ଇସ୍ରାଏଲ ସହରରେ ଅଧିକ ମୃତଦେହ ମିଳିଛି। ଉଦ୍ଧାରକାରୀ ଦଳ ଏକ ଅଞ୍ଚଳର ଚାଷ କ୍ଷେତରୁ ପ୍ରାୟ ୧୦୦ଟି ଶବ ପାଇଛନ୍ତି। ଇସ୍ରାଏଲୀ ସେନା ଅନୁଯାୟୀ ହମାସ ଆକ୍ରମଣରେ ଇସ୍ରାଏଲରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନ୍ୟପକ୍ଷେ ଗାଜା ଓ ଏହାର ସୀମାବର୍ତ୍ତୀ ଅଂଚଳରେ ପ୍ରାୟ ୨୧ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ହମାସ୍‌ ଆତଙ୍କବାଦୀ ଥିବା ଇସ୍ରାଏଲ କହିଛି। ଇସ୍ରାଏଲ ଆକ୍ରମଣର ଜବାବ ଦେଇ ହମାସ୍‌ ମୁଖପାତ୍ର ଅବୁ ଓବେଇଦା କହିଛି ଗାଜାରେ ପ୍ରତି ଥର ପ୍ରତି ନାଗରିକଙ୍କୁ ଟାର୍ଗେଟ୍‌ କରିବାର ପାଲଟା ଜବାବ ଇସ୍ରାଏଲକୁ ମିଳିବ। ପ୍ରତିଟି ବିମାନ ଆକ୍ରମଣ ପରେ ଏହା ଜଣେ ଇସ୍ରାଏଲୀ ପଣବନ୍ଦୀଙ୍କୁ ହତ୍ୟା କରିବ। ଇତିମଧ୍ୟରେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି କୋ‌ହେନ ଏନେଇ ହମାସ ଆତଙ୍କବାଦୀ ଗୋଷ୍ଠୀକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଏଭଳି ଯୁଦ୍ଧ ଅପରାଧକୁ ବରଦାସ୍ତ କରାଯିବନି।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପଣବନ୍ଦୀ ସମସ୍ୟା ଏବଂ ନିଖୋଜ ବ୍ୟକ୍ତିଙ୍କ ସୂଚନା ପାଇଁ ଜଣେ ପୂର୍ବତନ ସେନା କମାଣ୍ଡରଙ୍କୁ ନିଯୁକ୍ତ କରିଛନ୍ତି। ଇସ୍ରାଏଲ ଯୁଦ୍ଧ ଜାହାଜ କେନ୍ଦ୍ରୀୟ ଗାଜା ସହରର ରିମଲ୍‌ରେ ବୋମାବର୍ଷା କରିଛି। ସାଧାରଣ ନାଗରିକଙ୍କୁ ତୁରନ୍ତ ସ୍ଥାନ ଛାଡ଼ିବାପାଇଁ ସତର୍କ କରାଯିବା ପରେ ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଜାତିସଂଘ ସୂଚନା ଅନୁଯାୟୀ ଗାଜା ଉପରେ ଇସ୍ରାଏଲୀ ବିମାନ ଆକ୍ରମଣ ଯୋଗୁଁ ୭୯୦ ଘର ମାଟିରେ ମିଶିଯାଇଛି। ୫,୩୩୦ ଘର ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ ସୋମବାର ଦିନ ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆକ୍ରମଣ ପରେ ଲକ୍ଷାଧିକ ଲୋକ ଗାଜାରେ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି। ୧୩୭,୦୦୦ ଲୋକ ଏବେ ଘର ଛାଡ଼ି ଆଶ୍ରୟସ୍ଥଳରେ ରହୁଛନ୍ତି ବୋଲି ଜାତିସଂଘ ସଂସ୍ଥା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ହମାସ କହିଛି ଏହା ଦୀର୍ଘକାଳୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି।