ଗାଜା: ଗାଜାରେ ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ ଇସ୍ରାଏଲର ଆକ୍ରମଣ ଅଧିକ ତୀବ୍ର ହୋଇଛି। ହମାସ୍‌ ସଂଗଠନର ମୂଳପୋଛ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ଆଜି ସ୍ପଷ୍ଟ କରିଦେଇଛି। ନାଗରିକଙ୍କ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଇସ୍ରାଏଲକୁ ତା’ର ମୁଖ୍ୟ ସହଯୋଗୀ ଆମେରିକା ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ରମାନେ ନିବେଦନ କରିଥିଲେ ମଧ୍ୟ ଇସ୍ରାଏଲ ଏହାକୁ ଏଡ଼ାଇ ଚାଲିଛି। ଗାଜାର ବିଭିନ୍ନ ଡାକ୍ତରଖାନା ନିକଟରେ ଏବଂ ଏହାର ଆଖପାଖ ଅଞ୍ଚଳରେ ସଂଘର୍ଷ ତୀବ୍ର ହୋଇଛି। ପାଣି, ବିଜୁଳି ଓ ଚିକିତ୍ସା ସରଞ୍ଜାମ ଅଭାବ ସହ ଇସ୍ରାଏଲର ବୋମାମାଡ଼ ଯୋଗୁ ଗାଜାରେ ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ସିଫା ସମେତ ପ୍ରାୟ ସମସ୍ତ ହସ୍ପିଟାଲ ଅଚଳ ହୋଇପଡ଼ିଛି। ଅଲ୍‌ ସିଫା ଗତକାଲିଠାରୁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆଜି ‌ ସ୍ବାସ୍ଥ୍ୟସେବା ଠପ୍‌ ହୋଇଯାଇଛି।

Advertisment

ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ କହିଛନ୍ତି ଯେ, ଇସ୍ରାଏଲ ଗାଜାରେ ବୋମାମାଡ଼ କରିବା ଏବଂ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ବନ୍ଦ କରିବା ଉଚିତ। ସେ କହିଛନ୍ତି ଯେ, ଫ୍ରାନ୍ସ ହମାସର ଆତଙ୍କବାଦୀ କାର୍ଯ୍ୟକଳାପକୁ ସ୍ପଷ୍ଟ ଭାବେ ନିନ୍ଦା କରୁଛି, ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାରକୁ ବି ସ୍ୱୀକୃତି ଦେଉଛି। କିନ୍ତୁ ଆମେ ସେମାନଙ୍କୁ ଗାଜାରେ ଏହି ବୋମାମାଡ଼ ବନ୍ଦ କରିବାକୁ ଅନୁରୋଧ କରୁଛୁ। ଏହାର ଜବାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ବିଶ୍ୱ ନେତାମାନେ ଇସ୍ରାଏଲ ନୁହେଁ, ହମାସକୁ ନିନ୍ଦା କରିବା ଉଚିତ। ନେତାନ୍ୟାହୁ କହିଛନ୍ତି, ଆଜି ଗାଜାରେ ରହି ହମାସ ଯେଉଁ ଅପରାଧ କରୁଛି, ତାହା ଆସନ୍ତାକାଲି ପ୍ୟାରିସ୍, ନ୍ୟୁୟର୍କ ଓ ବିଶ୍ୱର ଯେକୌଣସି ସ୍ଥାନରେ ଘଟିପାରେ। ଅସ୍ତ୍ରବିରତି ହେଲେ ପ୍ରାୟ ୨୪୦ ଜଣଙ୍କୁ ବନ୍ଧକ ରଖିଥିବା ହମାସ ଆତଙ୍କବାଦୀମାନେ ତାହାର ଫାଇଦା ଉଠାଇ ପୁଣି ଥରେ ଏକାଠି ହେବେ। ସାଉଦି ଆରବ ଆଜି ରିୟାଦରେ ଏକ ମିଳିତ ଇସଲାମିକ-ଆରବ ଶିଖର ସମ୍ମିଳନୀ ଆୟୋଜନ କରି ଇସ୍ରାଏଲ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କହିଛି। ଇସ୍ରାଏଲ ପାଲେଷ୍ଟାଇନର ଅଂଚଳକୁ ନିଜ ଦଖଲରୁ ତୁରନ୍ତ ମୁକ୍ତ କଲେ ହିଁ ସଙ୍କଟର ସମାଧାନ ହୋଇପାରିବ ବୋଲି ସାଉଦି କ୍ରାଉନ୍‌ ପ୍ରିନ୍ସ କହିଛନ୍ତି।

ଅଲ୍ ସିଫା ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଅବୁ ସେଲମେୟା କହିଛନ୍ତି, ଇସ୍ରାଏଲ ଏବେ ଗାଜାସିଟି ହସ୍ପିଟାଲଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି। ଗାଜା ସିଟିର ଅଲ-ବୁରାକ୍ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣରେ ଅତି କମ୍‌ରେ ୨୫ ଜଣ ଲୋକ ପ୍ରାଣ ହରାଇଥିଲେ, ଯେଉଁଠାରେ ଘର ଭାଙ୍ଗିଥିବା ଲୋକମାନେ ଆଶ୍ରୟ ନେଇଥିଲେ। ଗାଜାର ଅଧିକାରୀମାନେ କହିଛନ୍ତି ଯେ, ଗତକାଲି ସକାଳେ ବୃହତ୍ତମ ହସ୍ପିଟାଲ ଅଲ୍ ସିଫା ପ୍ରାଙ୍ଗଣରେ ଏକ କ୍ଷେପଣାସ୍ତ୍ର ପଡ଼ିବାରୁ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି ଏବଂ ନାସେର ରଣ୍ଟିସି ଶିଶୁ କର୍କଟ ଡାକ୍ତରଖାନାରେ ନିଆଁ ଲଗାଇ ଦିଆଯାଇଛି। ଇସ୍ରାଏଲ ସେନା କହିଛି ଯେ ଗାଜାରେ ଆତଙ୍କବାଦୀଙ୍କର ଏକ ମିସ୍‌ଫାୟାର୍ଡ ପ୍ରୋଜେକ୍ଟାଇଲ ସିଫାକୁ କ୍ଷତିଗ୍ରସ୍ତ କରିଛି। ବିସ୍ଥାପିତଙ୍କ ସହ ରୋଗୀ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ଭର୍ତ୍ତି ଏହି ହସ୍ପିଟାଲଗୁଡ଼ିକ ଉତ୍ତର ଗାଜାରେ ରହିଛି, ଯେଉଁଠାରେ ହମାସ ଆତଙ୍କବାଦୀମାନେ ରହିଛନ୍ତି ବୋଲି ଇସ୍ରାଏଲ କହିଛି। ଇସ୍ରାଏଲ ସରକାରଙ୍କ ମୁଖପାତ୍ର ଏଲନ୍ ଲେଭି କହିଛନ୍ତି ଯେ ହମାସ ଆତଙ୍କବାଦୀଙ୍କ ମୁଖ୍ୟାଳୟ ସିଫା ହସ୍ପିଟାଲର ବେସ୍‌ମେଣ୍ଟରେ ରହିଛି। ତେଣୁ ଏହି କେନ୍ଦ୍ର ଏହାର ସୁରକ୍ଷିତ ମାନ୍ୟତା ହରାଇ ବୈଧ ଟାର୍ଗେଟରେ ପରିଣତ ହୋଇପାରେ। ହମାସ ହସ୍ପିଟାଲ ତଳେ ଥିବା ସୁଡ଼ଙ୍ଗରେ ଅସ୍ତ୍ରଶସ୍ତ୍ର ଲୁଚାଉଛି ବୋଲି ଇସ୍ରାଏଲ କହିଛି, କିନ୍ତୁ ହମାସ ଅଭିଯୋଗକୁ ଅସ୍ୱୀକାର କରିଛି।

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅଶରଫ ଅଲ୍-କିଦ୍ରା କହିଛନ୍ତି ଯେ ଇସ୍ରାଏଲ ସିଫା ହସ୍ପିଟାଲ କୋଠା ଉପରେ ୫ ଥର ବୋମା ମାଡ଼ କରିଛି। ଇସ୍ରାଏଲର ଟ୍ୟାଙ୍କଗୁଡ଼ିକ ନାସିର ରଣ୍ଟିସି ହସ୍ପିଟାଲ ଓ ଅଲ୍-କୁଦସ୍ ହସ୍ପିଟାଲର ଆଖପାଖ ଅଞ୍ଚଳରେ ମୁତୟନ ହୋଇଛନ୍ତି। ଇସ୍ରାଏଲ ସେନାମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଚାର୍ଡ ହେଚ୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେନା ହସ୍ପିଟାଲରେ ଗୁଳି ଚାଳନା କରେ ନାହିଁ। ଯଦି ଆମେ ହମାସ ଆତଙ୍କବାଦୀମାନଙ୍କୁ ଡାକ୍ତରଖାନାରୁ ଗୁଳି ଚାଳନା କରୁଥିବା ଦେଖୁ, ତେବେ ଆମେ ଯାହା କରିବା କଥା କରିବୁ। ଆମେ ହସ୍ପିଟାଲର ସମ୍ବେଦନଶୀଳତା ବିଷୟରେ ଅବଗତ ଅଛୁ। କିନ୍ତୁ ପୁଣି ଯଦି ଆମେ ହମାସ ଆତଙ୍କବାଦୀଙ୍କୁ ଦେଖୁ, ତେବେ ଆମେ ସେମାନଙ୍କୁ ମାରିବୁ। ପାଲେଷ୍ଟାଇନ୍ ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ, ଅକ୍ଟୋବର ୭ ତାରିଖରୁ ଇସ୍ରାଏଲର ଆକାଶମାର୍ଗ ଓ ସ୍ଥଳ ଆକ୍ରମଣରେ ୧୧,୦୭୮ ଗାଜା ବାସିନ୍ଦାଙ୍କ ମୃତ୍ୟୁ ଘଟିଛି। ଏଣେ ଅକ୍ଟୋବର ୭ରେ ହୋଇଥିବା ହମାସ ଆକ୍ରମଣରେ ପ୍ରାୟ ୧୨୦୦ ଇସ୍ରାଏଲୀୟ ପ୍ରାଣ ହରାଇଛନ୍ତି, ଯେଉଁଥିରେ ଅଧିକାଂଶ ସାଧାରଣ ନାଗରିକ। ଇସ୍ରାଏଲ କହିଛି ଯେ, ଅକ୍ଟୋବର ୭ରୁ ଏ ପର୍ଯ୍ୟନ୍ତ ଯୁଦ୍ଧରେ ସେମାନଙ୍କର ୩୯ ଜଣ ସୈନିକ ନିହତ ହୋଇଛନ୍ତି।