ଶର୍ମ୍-ଏଲ୍-ଶେଖ୍: ଗତ ଦୁଇ ବର୍ଷ ଧରି ଗାଜାରେ ଚାଲିଥିବା ସଂଘର୍ଷରେ ଏବେ ବିରାମ ଲାଗିଛି। ଅସ୍ତ୍ରବିରତି କାର୍ଯ୍ୟକାରୀ କରିବା ପ୍ରକ୍ରିୟାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଇଜିପ୍ଟର ଶର୍ମ ଶର୍ମ୍-ଅଲ୍-ଶେଖ୍ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇଜିପ୍ଟ ରାଷ୍ଟ୍ରପତି ଆବ୍ଦେଲ୍ ଫତେହ ଅଲ୍-ସିସି ନିମନ୍ତ୍ରଣ କରିଛନ୍ତି। ତେବେ ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଭାରତର ପ୍ରତିନିଧିତ୍ୱ କରିବେ। ଏହି ଶିଖର ସମ୍ମିଳନୀରେ ୨୦ରୁ ଅଧିକ ଦେଶର ନେତା ଯୋଗଦେବେ ।
ଆଲୋଚନା ପୂର୍ବରୁ ଝଟକା
ତିନି କୂଟନୀତିଜ୍ଞଙ୍କ ଦୁର୍ଘଟଣା ମୃତ୍ୟୁ ପଛରେ ଷଡ୍ଯନ୍ତ୍ର ସନ୍ଦେହ
ତେବେ ବୈଠକର ଦିନକ ପୂର୍ବରୁ ଇଜିପ୍ଟର ଶର୍ମ୍-ଏଲ୍-ଶେଖ୍ ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାରେ କତରର ତିନି ଜଣ ବରିଷ୍ଠ କୂଟନୀତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶର୍ମ୍-ଏଲ୍-ଶେଖ୍ଠାରୁ ୫୦ କିଲୋମିଟର ଦୂରରେ ଘଟିଛି। ଗାଡ଼ିରେ ପାଞ୍ଚ ଜଣ ବରିଷ୍ଠ କୂଟନୀତିଜ୍ଞ ଥିଲେ ଯେଉଁମାନେ ଇସ୍ରାଏଲ-ହମାସ ଶାନ୍ତି ଆଲୋଚନାରେ ମଧ୍ୟସ୍ଥ ଭୂମିକା ନେଉଥିଲେ। ଦୁଇ ଆହତ କୂଟନୀତିଜ୍ଞଙ୍କୁ ଶର୍ମ୍-ଏଲ୍-ଶେଖ୍ ଅନ୍ତର୍ଜାତୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ପଛରେ ଯୋଜନାବଦ୍ଧ ଷଡ୍ଯନ୍ତ୍ର ରହିଛି ବୋଲି ମଧ୍ୟ ଅନେକ ଅଭିଯୋଗ କରିଛନ୍ତି। ଦୁର୍ଘଟଣାର ବିସ୍ତୃତ ଯାଞ୍ଚ ପାଇଁ ଇଜିପ୍ଟ କତରକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।