ଗାଜା ଷ୍ଟ୍ରିପ୍: ହମାସ ଆକ୍ରମଣର କଡ଼ା ଜବାବ ଦେଇ ଇସ୍ରାଏଲ ଗାଜା ଷ୍ଟ୍ରିପ୍ରେ ଆକ୍ରମଣ ଜାରି ରଖିଥିବାରୁ ଗାଜାରେ ଲୋକଙ୍କ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି। ଗାଜା ଷ୍ଟ୍ରିପ୍ରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତେବେ ସେମାନଙ୍କ ମଧ୍ୟରୁ କେତେଜଣ ସାଧାରଣ ନାଗରିକ ତାହା ସ୍ପଷ୍ଟ ଜଣାପଡ଼ିନି। ପାଖାପାଖି ୩ ଲକ୍ଷ ଲୋକ ଗାଜାରୁ ବିସ୍ଥାପିତ ହୋଇଛନ୍ତି। ଗାଜାର ଜଣେ ବାସିନ୍ଦା ମାଜେନ ମହମ୍ମଦ କହିଛନ୍ତି, ଆମେ ଭୂତ ସହରରେ ଥିବା ଭଳି ଲାଗୁଛି। ଇସ୍ରାଏଲ୍ ଜଳ, ଖାଦ୍ୟ ଏବଂ ବିଜୁଳି ଯୋଗାଣ ବନ୍ଦ କରିଦେବାରୁ ଚିନ୍ତା ବଢ଼ିଛି।
ଗାଜାର ଏକମାତ୍ର ପାୱାର ପ୍ଲାଣ୍ଟ୍ ଗତକାଲି ଅକାମୀ ହୋଇଯିବାପରେ ଗାଜା ସମ୍ପୂର୍ଣ୍ଣ ଅନ୍ଧକାର ମଧ୍ୟକୁ ଚାଲିଯାଇଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରୁ ଦେଖିବାକୁ ମିଳିଛି ଯେ ଲୋକମାନେ ସେମାନଙ୍କ ମୋବାଇଲ ଫୋନ୍ ଚାର୍ଜ କରିବାପାଇଁ କାର୍ ବ୍ୟାଟେରି ବ୍ୟବହାର କରୁଛନ୍ତି। ଗାଜାର ଅଲ୍ ସିଫା ହସ୍ପିଟାଲରେ ଏବେ ଆଉ ଜାଗା ନାହିଁ। ଏଠାରେ ଅକ୍ସିଜେନ ସାଙ୍ଗକୁ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ଉପକରଣ ମଧ୍ୟ ଶେଷ ହୋଇଯିବ। ମୋଟ୍ ଉପରେ ଗାଜାରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ଇତିମଧ୍ୟରେ ଇସ୍ରାଏଲ ଆଜି ଚେତାବନୀ ଦେଇ କହିଛି ଯେ ହମାସ ପଣବନ୍ଦୀ ରଖିଥିବା ଇସ୍ରାଏଲୀ ନାଗରିକଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ଗାଜାକୁ ମାନବୀୟ ସହାୟତା ଦିଆଯିବନି।