ନୂଆଦିଲ୍ଲୀ: ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିଥିବା ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍‌ର ମୁଖ୍ୟ ସହର ଗାଜା ସିଟିକୁ ସମ୍ପୂର୍ଣ୍ଣ ଭାବେ ଘେରି ଯାଇଛି। ଆକ୍ରମଣ ଜୋରଦାର ହେବାରେ ଲାଗିଛି। ଏବେ ଯୁଦ୍ଧବିରତିର ପ୍ରଶ୍ନ ଉଠୁନାହିଁ ବୋଲି ଇସ୍ରାଏଲ ସେନା ମୁଖପାତ୍ର ଡାନିଏଲ ଆଜି ପୁଣିଥରେ କହିଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ହମାସ୍‌ ହେଜବୋଲ୍ଲା ସହିତ ହାତ ମିଳାଇ ଇସ୍ରାଏଲ ଉପରେ ମିଳିତ ଆକ୍ରମଣ ଜାରି ରଖିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ଯୁଦ୍ଧବିରତି କଥା ଉଠାଇବାପରେ ଡାନିଏଲ୍‌ ଆଜି କହିଛନ୍ତି, ଏବେ ଯୁଦ୍ଧବିରତିର ପ୍ରଶ୍ନ ଉଠୁନାହିଁ ଏବଂ ଆମେ ନିର୍ଣ୍ଣାୟକ ଲଢ଼େଇ ଦିଗରେ ଅଗ୍ରସର ହେଉଛୁ। ଇସ୍ରାଏଲ ସେନା ଇତିମଧ୍ୟରେ ହମାସର ସବରା ତେଲ୍ ଅଲା ହାୱା ବାଟାଲିୟନର ଜଣେ ଶୀର୍ଷ କମାଣ୍ଡର ମୁସ୍ତାଫା ଦାଲୌଲକୁ ନିପାତ କରିଛି। ଅକ୍ଟୋବର ୭ ଆକ୍ରମଣରେ ସେ ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଥିଲା।

Advertisment

ଅନ୍ୟପକ୍ଷରେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଆଜି ଯୁଦ୍ଧ ଘନଘଟା ଭିତରେ ଦ୍ବିତୀୟ ଥର ପାଇଁ ଇସ୍ରାଏଲ ପହଞ୍ଚିଛନ୍ତି। ବ୍ଲିଙ୍କେନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି। ଇସ୍ରାଏଲ ଗସ୍ତ ପରେ ବ୍ଲିଙ୍କେନ ଜୋର୍ଡାନ ଗସ୍ତରେ ଯିବେ। ଗାଜାରେ ନାଗରିକଙ୍କ ସୁରକ୍ଷା ପାଇଁ ଆମେରିକା ଚିନ୍ତିତ ଏବଂ ଏ ନେଇ ଇସ୍ରାଏଲ ଏକ ନିର୍ଦ୍ଧାରିତ ରଣନୀତିରେ ପହଞ୍ଚିବା ପାଇଁ ଆମେରିକା ପ୍ରୟାସ ଜାରି ରଖିଛି ବୋଲି ବ୍ଲିଙ୍କେନ କହିଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧ ପାଖାପାଖି ୪ ସପ୍ତାହରେ ପହଞ୍ଚିଥିବାବେଳେ ଯୁଦ୍ଧ ପାଇଁ କେବଳ ଗାଜାରେ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଇସ୍ରାଏଲ ସେନା ଗତକାଲି ରାତିସାରା ଗାଜାରେ ହମାସ ଆଡ଼ା ସ୍ଥଳ ଉପରେ ଆକ୍ରମଣ କରିଛି ଏବଂ ଅନେକ ହମାସ ଆତଙ୍କବାଦୀ ଏଥିଯୋଗୁଁ ନିପାତ ହୋଇଥିବା ଦାବି କରିଛି।

ଗୁରୁବାର ଦିନ ଗାଜା ଷ୍ଟ୍ରିପ୍‌ରେ ଲଢ଼େଇ ‌ଯୋଗୁଁ ଇସ୍ରାଏଲ ସେନାର ୮ ସୈନିକ ନିହତ ହୋଇଥିବାବେଳେ ଶୁକ୍ରବାର ୫ ସୈନିକ ନିପାତ ହୋଇଛନ୍ତି। ଗତ ୪ ଦିନ ମଧ୍ୟରେ ଇସ୍ରାଏଲ ସେନାର ୨୩ ସୈନିକ ନିହତ ହୋଇଥିବାରୁ ଇସ୍ରାଏଲ ବିମାନ ଆକ୍ରମଣକୁ ଅଧିକ ତୀବ୍ର କରିବାରେ ଲାଗିଛି। ଆଜି ହ୍ବାଇଟ୍‌ ହାଉସ ଜାତୀୟ ସୁରକ୍ଷା ପରିଷଦ ସଂଯୋଜକ ଜନ୍‌ କିର୍ବି କହିଛନ୍ତି, ଗାଜାରୁ ୭୪ ଆମେରକୀୟ ନାଗରିକ ଇଜିପ୍ଟରେ ସୁରକ୍ଷିତ ପହଞ୍ଚିଛନ୍ତି। ଉତ୍ତର ଗାଜାରେ ଯୁଦ୍ଧ ଲାଗି ରହିଥିବାବେଳେ ଶତାଧିକ ଆହତ ବିଦେଶୀ ନାଗରିକ ରାଫା ସୀମା ଦେଇ ଇଜିପ୍ଟ ଚାଲି ଯାଇଛନ୍ତି। ଇଜିପ୍ଟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ୭୨ ଶିଶୁଙ୍କ ସମେତ ୩୪୪ ବିଦେଶ ନାଗରିକ ଏବଂ ୨୧ ଆହତ ପାଲେଷ୍ଟିନୀୟ ନାଗରିକ ରାଫା ସୀମା ଅତିକ୍ରମ କରିଛନ୍ତି। ଇସ୍ରାଏଲ ସେନା ଆଜି ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ଏହା ଗାଜାରେ ହମାସ ଆତଙ୍କବାଦୀଙ୍କ ସୁଡ଼ଙ୍ଗରେ ବିସ୍ଫୋରଣ କରୁଥିବା ଦେଖିବାକୁ ମିଳିଛି।