ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାରରେ ହ୍ରାସ; ୮.୨%ରୁ ଖସିଲା ୭.୧%କୁ

ନୂଆଦିଲ୍ଲୀ: ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ଏହି ସମୟ ମଧ୍ୟରେ ଜିଡିପି ଅଭିବୃଦ୍ଧିର ହାର ୮.୨ ପ୍ରତିଶତରୁ ୭.୧ ପ୍ରତିଶତକୁ ଖସି ଆସିଛି। ସେହିପରି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଜିଡିପିରୁ ଆୟ ୩୩.୯୮ ଲକ୍ଷ କୋଟି ଧାର୍ଯ୍ୟ ହୋଇଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହି ଦ୍ୱିତୀୟ ତ୍ରମାସିକରେ ଜିଡିପିରୁ ଆୟ ହୋଇଥିଲା ୩୧.୭୨ ଲକ୍ଷ କୋଟି, ବୋଲି ଜାଣିବାକୁ ମିଳିଛି।
ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ, ଅର୍ଥାତ୍‌ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଅଭିବୃଦ୍ଧିର ହାର ୮.୨ ରହିଥିବା ବେଳେ ଜୁଲାଇରୁ ସେପ୍ଟେମ୍ବର ଦ୍ୱିତୀୟ ତ୍ରୈମାସିକରେ ଏହା ୭.୧ ପ୍ରତିଶତକୁ ଖସିଆସିଛି। ଏହା ପୂର୍ବର ତିନିଟି ତ୍ରୈମାସିକ ତୁଳନାରେ ଏହା ସର୍ବନିମ୍ନ ରହିଛି। ତେବେ, ଗୋଟିଏ ଆଶ୍ୱାସନାର ବିଷୟ ହେଲା, ଏବେ ସମଗ୍ର ବିଶ୍ୱରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଆଗେଇ ଚାଲିଥିବା ଚୀନ୍‌ ଠାରୁ ଏହା ଆଗରେ ରହିଛି। ତେବେ, ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିଥିବା ବେଳେ ଦ୍ୱିତୀୟ ତ୍ରୈମାସିକରେ ହଠାତ୍‌ ୭.୧ ପ୍ରତିଶତକୁ ଖସି ଆସିବା ଘଟଣା ଦେଶର ଅର୍ଥଶାସ୍ତ୍ରୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର