ନୂଆଦିଲ୍ଲୀ: ମାର୍ଚ୍ଚ ୩୧, ୨୦୨୫ରେ ସମାପ୍ତ ୨୦୨୪-୨୫ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଧୀମା ହୋଇଯାଇଛି । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯.୨ ପ୍ରତିଶତ ଥିଲା । ଗତ ୪ଟି ଆର୍ଥିକ ବର୍ଷରେ ଏହାକୁ ସବୁଠାରୁ ଧୀମା ଜିଡିପି ଅଭିବୃଦ୍ଧି ହାର ।
ତେବେ ଏହି ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ଜିଡିପିରେ ଆଶାଜନକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ୪ର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ଥିଲା । ସେହିପରି ୩ୟ ତ୍ରୈମାସରେ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା ।
ଜିଡିପି ଅଭିବୃଦ୍ଧି ଧୀମା ହେବା ସତ୍ତ୍ବେ ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିପାରିଛି । ବିଶ୍ବର ଅନ୍ୟ ପ୍ରମୁଖ ଅର୍ଥନୀତିମାନେ ଧୀମା ଅର୍ଥନୈତିକ ଅଭିବୃଦ୍ଧିର ସମ୍ମୁଖୀନ ହେଉଥିବାବେଳେ ଭାରତ ଏକ ଉଲ୍ଲେଖନୀୟ ହାରରେ ଅଭିବୃଦ୍ଧି ବଜାୟ ରଖିଛି । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ନିଜର କଠୋର ବାଣିଜ୍ୟ ନୀତି ଯୋଗୁଁ ସାରା ବିଶ୍ବର ବାଣିଜ୍ୟ କ୍ଷେତ୍ରରେ ଏକରକମ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ଅସ୍ଥିରତା ଯୋଗୁଁ ଅର୍ଥନୀତିଗୁଡ଼ିକରେ ଧୀମାବସ୍ଥା ଦେଖାଦେଇଛି ।