ତେଜିଲା ଗୁଜ୍ଜର ଆନ୍ଦୋଳନ, ଆନ୍ଦୋଳନକାରୀଙ୍କୁ ଭେଟିଲେ ଗେହଲଟ୍‌

ଜୟପୁର: ରାଜସ୍ଥାନରେ ଏବେ ଗୁଜ୍ଜର ସମ୍ପ୍ରଦାୟର ଆନ୍ଦୋଳନ ଜୋରଦାର ହୋଇଛି। ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ଦାବି କରି ଗୁଜ୍ଜର ସମ୍ପ୍ରଦାୟ ଦ୍ବାରା ଗତକାଲିଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ଅଧିକ ଉଗ୍ର ହୋଇଛି। ଗୁଜ୍ଜର ସଂରକ୍ଷଣ ସଂଘର୍ଷ ସମିତି (ଜିଏଏସ୍‌ଏସ୍‌) ଆନ୍ଦୋଳନକାରୀମାନେ ସ୍ବାମୀମାଧପୁର ଜିଲ୍ଲାରେ ରେଳ ଲାଇନ୍‌ରେ ଧାରଣା ଦେଇଛନ୍ତି। ଅନେକ ସ୍ଥାନରେ ମଧ୍ୟ ରାସ୍ତାରୋକ ହୋଇଛି। ଆନ୍ଦୋଳନ ପାଇଁ ଆଜି କୋଟା‌ ଡିଭିଜନ୍‌ରେ ୪ଟି ‌ଟ୍ରେନ୍‌ ବାତିଲ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି ଆନ୍ଦୋଳନକାରୀଙ୍କୁ ଭେଟିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କ ଦାବି ଜଣାଇବାପାଇଁ କହିଛନ୍ତି। ଗେହଲଟ କହିଛନ୍ତି ଯେ ସେମାନଙ୍କ ଦାବି କେବଳ ସମ୍ବିଧାନ ସଂଶୋଧନ ହେବାପରେ ହିଁ ପୂରଣ ହୋଇପାରିବ। ତେଣୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିଜର ଦାବି ସଂକ୍ରାନ୍ତରେ ଏକ ସ୍ମାରକପତ୍ର ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆନ୍ଦୋଳନକାରୀଙ୍କୁ ରେଳ ଧାରଣା ଛାଡ଼ିବାପାଇଁ ଗେହଲଟ୍‌ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗୁଜ୍ଜର ସମ୍ପ୍ରଦାୟର ଆନ୍ଦୋଳନକାରୀମାନ ରେଳ ଧାରଣାରେ ଟେଣ୍ଟ୍‌ ବାନ୍ଧି ଆନ୍ଦୋଳନ କରିଛନ୍ତି।

ସମ୍ବନ୍ଧିତ ଖବର