କଂଗ୍ରେସକୁ ଅଡ଼ୁଆ ଗେହଲଟ୍‌, ପାଇଲଟ୍

ନୂଆଦିଲ୍ଲୀ : ରାଜସ୍ଥାନରେ ଗତକାଲି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗତକାଲି ଏକ ସରକାରୀ କାର୍ଯ୍ୟକ୍ରମରେ ପରସ୍ପରକୁ ପ୍ରଶଂସା କରିଥିଲେ। କିନ୍ତୁ ଏହି ବିଷୟ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଏବଂ ଗେହଲଟଙ୍କୁ ପ୍ରଶଂସାକୁ ମୁଁ ଭଲଭାବେ ବୁଝିପାରୁଛି। ଏହା ଖୁବ୍‌ ଆଶ୍ଚର୍ଯ୍ୟଜନକ। ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦରେ ଠିକ୍‌ ସମାନ ଢଙ୍ଗରେ ଗୁଲାମ ନବି ଆଜାଦଙ୍କୁ ପ୍ରଶଂସା କରିଥିଲେ। ଏହାପରେ କ’ଣ ଘଟିଥିଲା ଆମେମାନେ ଦେଖିଥିଲୁ। ତେଣୁ ସମାନ ଢଙ୍ଗରେ ପ୍ରଧାନମନ୍ତ୍ରୀ ଗତକାଲି ଗେହଲଟଙ୍କୁ ପ୍ରଶଂସା କରିବା ବିଷୟକୁ ଆଦୌ ସହଜରେ ଗ୍ରହଣ କରିବା ଉଚିତ ନୁହେଁ।

ଏହାସହିତ ଗେହଲଟଙ୍କୁ ଟାର୍ଗେଟ କରି ସେ କହିଛନ୍ତି ‌‌ଯେ ଗତ ସେପ୍ଟେମ୍ବରରେ ରାଜସ୍ଥାନରେ ନେତା ଚୟନ ପାଇଁ ସିଏଲ୍‌ପି ବୈଠକ ଡକାଯାଇଥିଲା। କିନ୍ତୁ ବୈଠକ ହୋଇପାରିନଥିଲା। ମୁଖ୍ୟମନ୍ତ୍ରୀ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ‌ା ସୋନିଆଙ୍କଠାରୁ କ୍ଷମା ମାଗିଥିଲେ। କିନ୍ତୁ ବିଶୃଙ୍ଖଳା ସୃଷ୍ଟି କରିଥିବା ଗେହଲଟଙ୍କ ଅନୁଗତ ମନ୍ତ୍ରୀ/ବିଧାୟକମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏ ପ୍ରସଙ୍ଗରେ ତୁରନ୍ତ ଏକ ନିଷ୍ପତ୍ତି ନିଆ‌ଯିବା ଉଚିତ।

ପାଇଲଟଙ୍କ ଏଭଳି ମନ୍ତବ୍ୟ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗେହଲଟ୍। ସେ କହିଛନ୍ତି ଯେ ଦଳକୁ ଅଡ଼ୁଆରେ ପକାଇଲା ଭଳି କେହି ମନ୍ତବ୍ୟ ଦେବା ଉଚିତ ନୁ‌ହେଁ। ପାଇଲଟଙ୍କ ନାମ ନନେଇ ସେ କହିଛନ୍ତି ଯେ ସେ ମଧ୍ୟ ଦଳୀୟ ଶୃଙ୍ଖଳା ଭାଙ୍ଗିବାକୁ ଉଦ୍ୟମ କରିବା ଉଚିତ ନୁହେଁ। ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ଚଳାଇଥିବା ବେଳେ ଏହି ଦୁଇ ନେତାଙ୍କ ଏଭଳି ବିବାଦ ଦଳ ପାଇଁ ଚିନ୍ତା ବଢ଼ାଇଛି।

ସମ୍ବନ୍ଧିତ ଖବର