ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିବା ସମୟରେ ଘୋର ଅଡ଼ୁଆର ସମ୍ମୁଖୀନ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଆଜି ଭୁଲ୍‌ରେ ଗୃହରେ ପୁରୁଣା ବଜେଟ୍‌ ପଢ଼ିଥିଲେ। ପ୍ରାୟ ୮ ମିନିଟ୍‌ ପର୍ଯ୍ୟନ୍ତ ଗେହଲଟ ପୁରୁଣା ବଜେଟ ପଢ଼ି ଚାଲିଥିଲେ। ବିରୋଧୀମାନେ ଏହାକୁ ବିରୋଧ କରିବା ଆରମ୍ଭ କରିବା ସତ୍ତ୍ବେ ଗେହଲଟ ଏହାକୁ ସ୍ବାଭାବିକ ବିରୋଧ ବୋଲି ଧରିନେଇ ପୁରୁଣା ବଜେଟ୍‌ର ଗୋଟିଏ ପରେ ଗୋଟିଏ ପୃଷ୍ଠା ପଢ଼ିଚାଲିବା ବିସ୍ମୟ ସୃଷ୍ଟି କରିଥିଲା। ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ହୋହଲ୍ଲା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଚେତା ପଶିଥିଲା। ବାଚସ୍ପତି ସିପି ଯୋଶୀ ବିରୋଧୀ ସଦସ୍ୟଙ୍କୁ ଗୃହରେ ଶୃଙ୍ଖଳା ବଜାୟ ରଖିବା ପାଇଁ କହିଥିଲେ। କିନ୍ତୁ ବିରୋଧୀ ସଦସ୍ୟମାନେ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଗୃହ ମୁଲତବୀ ରଖାଯାଇଥିଲା। ମୁଲତବୀ ପ୍ରତିବାଦରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗରେ ଧାରଣାରେ ବସିଥିଲେ।

Advertisment

ତେବେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବାପରେ ଗେହଲଟ ପୁରୁଣା ବଜେଟ ପଢ଼ିଥିବାରୁ କ୍ଷମା ମାଗିଥିଲେ। ଗେହଲଟ କହିଛନ୍ତି, ଆଜି ଭୁଲ୍‌ବଶତଃ ଯାହା ଘଟିଗଲା ସେଥିପାଇଁ ମୁଁ କ୍ଷମା ମାଗୁଛି। ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହି ପ୍ରସଙ୍ଗରେ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି। ରାଜେ କହିଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟ ବଜେଟ୍‌କୁ ଅତି ବେପରୁଆ ଭାବେ ଗ୍ରହଣ କରିବା ଏବଂ ପୁରୁଣା ବଜେଟ ଦସ୍ତାବିଜ ଧରି ଏହାକୁ ଗୃହରେ ଉପସ୍ଥାପନ କରିବାକୁ ଆସିବା ଲଜ୍ଜାଜନକ । ମୁଖ୍ୟମନ୍ତ୍ରୀ ପ୍ରାୟ ୮ ମିନିଟ ପର୍ଯ୍ୟନ୍ତ ପୁରୁଣା ବଜେଟ ପଢ଼ିବା ଏକ ବିରଳ ଘଟଣା ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏକ ଐତିହାସିକ ଭୁଲ୍‌ ବୋଲି କେନ୍ଦ୍ରମନ୍ତ୍ରୀ ତଥା ଯୋଧପୁର ସାଂସଦ ଗଜେନ୍ଦ୍ର ସିଂହ ଶେଖାୱତ ଏହି ପ୍ରସଙ୍ଗ‌ରେ କହିଛନ୍ତି। ଶେଖାୱତ କହିଛନ୍ତି, ନୂଆ ବଜେଟ ପାଇଁ ପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀ ପୁରୁଣା ବଜେଟ ଓ ନୂଆ ବଜେଟ୍‌ ଭିତରେ ଫରକ ନ ଜାଣିବା ଚିନ୍ତାଜନକ। ରାଜ୍ୟ ବଜେଟ୍‌ରେ ଚାଷୀମାନଙ୍କ ପାଇଁ ୨୦୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ବ୍ୟବସ୍ଥା କରାଯାଇଛି।