ମମତାଙ୍କ ଉପରେ କଣ ଯାଦୁ କଲ.., ଧନଖଡ଼ଙ୍କୁ କିଛି ଏଭଳି ପଚାରିଲେ ଗେହଲୋଟ୍

ଜୟପୁର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କଣ ମନ୍ତର କଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଥଟ୍ଟାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ କିଛି ଏଭଳି ପ୍ରଶ୍ନ ପଚାରିଛନ୍ତି | ଗେହଲୋଟ୍ ପଚାରିଥିଲେ ଯେ ସେ ମମତା ବାନାର୍ଜୀଙ୍କ ପରି ଜଣେ କଠୋର ମହିଳାଙ୍କ ଉପରେ କେଉଁ ଯାଦୁ କରିଥିଲେ ଯେ ସେ ଉପରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇଥିଲେ । ଗେହଲୋଟ୍ ଧନଖଡ଼ଙ୍କୁ ପଚାରିଥିଲେ ଯେ, ଆପଣ ମଧ୍ୟ ଯାଦୁ ଜାଣନ୍ତି କି? ବାସ୍ତବରେ, ଧନଖଡ଼ ପୂର୍ବରୁ ପଶ୍ଚିମବଙ୍ଗରେ ରାଜ୍ୟପାଳ ପଦରେ ଥିବାବେଳେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନେକ ପ୍ରସଙ୍ଗରେ ବିରୋଧ କରୁଥିବାର ନଜର ଆସିଥିଲେ | କିନ୍ତୁ ଗତ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳରୁ ପ୍ରାର୍ଥୀ ହୋଇଥିବା ମାର୍ଗାରେଟ ଆଲଭାଙ୍କୁ ସମର୍ଥନ ନ କରି ନିର୍ବାଚନରୁ ଦୂରେଇ ରହିବାକୁ ମମତା ନିଷ୍ପତ୍ତି ନେଇଥିଲେ | ଆଉ ଏହି ନିଷ୍ପତ୍ତି ପରେ ମାର୍ଗାରେଟଙ୍କୁ କ୍ଷତି ସହିବାକୁ ପଡିଥିଲା । ଆଉ ଏହି ପ୍ରସଙ୍ଗରେ ଗେହଲୋଟ, ଧନଖଡ଼ଙ୍କୁ ଏହି ପ୍ରଶ୍ନ ପଚାରିଥିଲେ |

ମଙ୍ଗଳବାର ଦିନ ରାଜସ୍ଥାନ ବିଧାନସଭାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉପରାଷ୍ଟ୍ରପତି ଆସିଥିବାବେଳେ ଏହି ସମୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଥଟା ମଜା ଚାଲିଥିଲା | ଏହି ଅବସରରେ ଗେହଲୋଟ୍ ଥଟ୍ଟା କରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ କହିଥିଲେ ଯେ “ ଯେପର୍ଯ୍ୟନ୍ତ ଆପଣ ସେଠାରେ ତିନିବର୍ଷ ଯାଏଁ ରାଜ୍ୟପାଳ ଥିଲେ, ସେତେବେଳେ ଆପଣ ଦୁହିଁଙ୍କର ସମ୍ପର୍କ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଯେତେବେଳେ ଆପଣ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ମମତା ବାନାର୍ଜୀ ଭୋଟ୍ ଦେବାରୁ ବିରତ ରହିଥିଲେ | ସେତେବେଳେ ଆପଣ କେଉଁ ଯାଦୁ କରିଥିଲେ? ଦୟାକରି ଆମକୁ ଏହାର ରହସ୍ୟ କୁହନ୍ତୁ। ମୁଁ ବି ଜଣେ ଯାଦୁଗର। ଆପଣ ମୋ ଅପେକ୍ଷା ଜଣେ ବଡ ଯାଦୁକର କି’?

ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଉପରାଷ୍ଟ୍ରପତି କହିଥିଲେ ଯେ ମୋର ମନେ ଅଛି ଯେତେବେଳେ ରାଜସ୍ଥାନ ବିଧାନସଭା ନିର୍ବାଚନ ଚାଲିଥିଲା, ସେତେବେଳେ ରାଜେନ୍ଦ୍ର ରାଠୋର ଚୁରୁରୁ ପ୍ରାର୍ଥୀ ହୋଇଥିଲେ। ମୁଁ ତାଙ୍କ ସମାବେଶକୁ ଗଲି। ଯାଦୁକରଙ୍କ ଯାଦୁ ଠିକ ଥିଲା (ଗେହଲୋଟକୁ ସୂଚାଇ), କିନ୍ତୁ ମୁଁ ମଧ୍ୟ ଯାଦୁ କରିଥିଲି ଯେ ସେ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ​​ହାରି ନାହାଁନ୍ତି। “

ସମ୍ବନ୍ଧିତ ଖବର