ଜୟପୁର: କଂଗ୍ରେସରେ ବିଦ୍ରୋହକୁ ନେଇ ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ କାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାନସଭା ଅଧିବେଶନ ଡକାଯିବା ନେଇ ରାଜ୍ୟପାଳଙ୍କ ଦ୍ବାରା ଉତ୍ଥାପନ କରାଯାଇଥିବ ୩ଟି ସର୍ତ୍ତ ଉପରେ ଆଲୋଚନା ହେବାପରେ ଜୁଲାଇ ୩୧ ତାରିଖରୁ ହିଁ ବିଧାନସଭା ଅଧିବେଶନ ଡକାଯିବାକୁ ନିଷ୍ପତ୍ତି ହୋଇଥିଲା। କ୍ୟାବିନେଟ୍ର ଏହି ନିଷ୍ପତ୍ତି ସଂପର୍କରେ ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି। ବିଧାନସଭା ଅଧିବେଶନ ପାଇଁ ସରକାର ୨୧ ଦିନିଆ ନୋଟିସ୍ ଜାରି କରିବାକୁ ରାଜ୍ୟପାଳ ଯେଉଁ ସର୍ତ୍ତ ରଖିଥିଲେ ତାହାକୁ କ୍ୟାବିନେଟ୍ ଗ୍ରହଣ କରିନାହିଁ।
ମହାମାରୀ ସମୟରେ ଅଧିବେଶନ ପାଇଁ ଏଭଳି ନୋଟିସ୍ ଜାରି କରାଯିବା ଜରୁରୀ ବୋଲି ଗତକାଲି ରାଜ୍ୟପାଳ କଲ୍ରାଜ ମିଶ୍ର ଦର୍ଶାଇଥିଲେ। ପୂର୍ବରୁ ଅଧିବେଶନ ପାଇଁ ଯେତେବେଳେ ପ୍ରସ୍ତାବ ଦିଆଯାଇଥିଲା ସେତେବେଳେ ରାଜ୍ୟପାଳ ଏଭଳି ନୋଟିସ୍ ସଂପର୍କରେ କାହିଁକି କିଛି କହିନଥିଲେ ବୋଲି ପରିବହନ ମନ୍ତ୍ରୀ ପ୍ରତାପ ସିଂହ ପ୍ରଶ୍ନ କରିଛନ୍ତି। ଏବେ ଅଧିବେଶନ ତାରିଖ ନେଇ ପୁଣି ସରକାର ଏବଂ ରାଜ୍ୟପାଳ ମୁହାଁମୁହିଁ ସ୍ଥିତିକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହୋଇଛନ୍ତି।
ରାଜସ୍ଥାନ ଲଢ଼େଇକୁ କୁଦିଲେ ମାୟାବତୀ
ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ଲଢ଼େଇରେ ଏବେ ବିଏସ୍ପି ସୁପ୍ରିମୋ ମାୟାବତୀ ସାମିଲ୍ ହୋଇ ଯାଇଛନ୍ତି। କଂଗ୍ରେସକୁ ଘେରିବା ପାଇଁ ମାୟାବତୀ ଏବେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଅଡ଼ୁଆ ଅଧିକ ବଢ଼ିଯିବ ବୋଲି ଜଣାପଡ଼ୁଛି। ଗେହଲଟ୍ ଗତବର୍ଷ ଦୁର୍ନୀତିପୂର୍ଣ୍ଣ ଉପାୟରେ ବିଏସ୍ପିର ୬ ବିଧାୟକଙ୍କୁ କଂଗ୍ରେସରେ ସାମିଲ କରାଇଥିଲେ ବୋଲି ମାୟାବତୀ କହିଛନ୍ତି। ଦଳ ପୂର୍ବରୁ ଏହି ମାମଲାରେ କୋର୍ଟ୍କୁ ଯାଇପାରିଥାନ୍ତା କିନ୍ତୁ ଏଥିପାଇଁ ସଠିକ୍ ସମୟକୁ ଅପେକ୍ଷା କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆମେ କଂଗ୍ରେସ ଏବଂ ଗେହଲଟ୍ଙ୍କୁ ଉଚିତ୍ ଶିକ୍ଷା ଦେବାପାଇଁ ଅପେକ୍ଷା କରିଥିଲୁ ଏବଂ ସେହି ସମୟ ଉପନୀତ ହୋଇଛି ବୋଲି ମାୟାବତୀ କହିଛନ୍ତି। ବିଏସ୍ପି ବିଧାୟକମାନଙ୍କର କଂଗ୍ରେସରେ ମିଶ୍ରଣ ଅନୈତିକ ଏବଂ ଏହା ଜନମତ ବିରୋଧୀ ଥିବାରୁ ଏହା ବିରୋଧରେ ବିଭିନ୍ନ ମଞ୍ଚରେ ଲଢ଼େଇ ଜାରି ରହିବ ବୋଲି ମାୟାବତୀ ଘୋଷଣା କରିଛନ୍ତି।