ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କୋଭିଡ୍‌-୧୯ ଓ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ପରେ ଜ୍ୱର ଓ ଅମ୍ଳଜାନ ଅଭାବରୁ ତାଙ୍କୁ ସୱାଇ ମାନସିଂହ (ଏସ୍‌ଏମ୍‌ଏସ୍‌) ହସ୍ପିଟାଲରେ ଭର୍ତ୍ତି କରା ଯାଇଛି।

Advertisment

ଶୁକ୍ରବାର ରାତିରେ ଏକ୍ସରେ କରିଥିବା ଏକ ପୋଷ୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ ଗତ କିଛି ଦିନ ହେବ ତାଙ୍କୁ ଜ୍ୱର ହେଉଥିଲା। ପରବର୍ତ୍ତୀ ସମୟରେ ପରୀକ୍ଷାରୁ ସେ କୋଭିଡ୍‌-୧୯ ଏବଂ ସ୍ୱାଇନ୍‌ ଫ୍ଲୁରେ ପଜିଟିଭ୍‌ ଥିବା ଜଣା ପଡ଼ିଥିଲା।

ଏସ୍‌ଏମ୍‌ଏସ୍‌ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଅଚଳ ଶର୍ମା ଶନିବାର କହିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ ଜ୍ୱର ଏବଂ କମ୍‌ ଅକ୍ସିଜେନ୍‌ ସେଚୁରେସନ୍‌ ଯୋଗୁଁ ଗେହଲଟଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏବେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଶର୍ମା କହିଛନ୍ତି।

ଏକ୍ସରେ ଗେହଲଟ୍‌ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଗତ କିଛି ଦିନ ଧରି ଜ୍ୱର ଯୋଗୁଁ ଆଜି ମୁଁ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜର ପରୀକ୍ଷା କରାଇଥିଲି, ଯେଉଁଥିରେ ମୋର କୋଭିଡ୍‌ ଓ ସ୍ୱାଇନ୍‌ ଫ୍ଲୁ ଥିବା ନିଶ୍ଚିତ ହୋଇଛି। ଏହି କାରଣରୁ ମୁଁ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ କାହାକୁ ଭେଟିପାରିବି ନାହିଁ।

ଏହି ପରିବର୍ତ୍ତିତ ଋତୁରେ ସମସ୍ତେ ନିଜ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଦରକାର ବୋଲି ସେ କହିଛନ୍ତି।