ରାଜସ୍ଥାନ ରାଜନୀତି : ୧୦୨ ବିଧାୟକଙ୍କ ସମର୍ଥନ ତାଲିକା ନେଇ ରାଜ୍ୟପାଳଙ୍କୁ ଭେଟିଲେ  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ

ଜୟପୁର : ରାଜସ୍ଥାନରେ ରାଜନୈତିକ ଘଟଣାକ୍ରମରେ ପୁଣି ଥରେ ନାଟକୀୟ ପରିବର୍ତ୍ତନ ଆସିଛି । ଭାରତୀୟ ଆଦିବାସୀ ପାର୍ଟି (ବିଟିପି)ର ଦୁଇ ଜଣ ବିଧାୟକ ଗେହଲଟ ସରକାରଙ୍କୁ ସମର୍ଥନ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କିଛି ସମୟପୂର୍ବରୁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ସରକାରକୁ ସମର୍ଥନ କରୁଥିବା ୧୦୨ ବିଧାୟକମାନଙ୍କ ତାଲିକା ପ୍ରଦାନ କରିଛନ୍ତି ।

ଗତ ମାସରେ ହୋଇଥିବା  ରାଜ୍ୟସଭା ନିର୍ବାଚନରେ ବିଟିପିର ବିଧାୟକମାନେ କଂଗ୍ରେସ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ଚଳିତ ରାଜନୈତିକ ସଂକଟ ବେଳେ ନିରପେକ୍ଷ ରହିବାକୁ ତାଙ୍କ ଦଳ ହ୍ବିପ ଜାରି କରିଥିଲା । କିନ୍ତୁ ଏବେ ଏହି ଦଳର ଦୁଇ ବିଧାୟକ ରାଜକୁମାର ରୋଟ ଓ ରାମକୁମାର ସରକାରକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ।  ଏହି ଦୁଇ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରକୁ ସମର୍ଥନ ଦେବା ବିଷୟରେ ଘୋଷଣା କରିଥିଲେ । କେତେକ ସର୍ତ୍ତ ସହ ସେମାନେ ଏହି ସମର୍ଥନ ଦେଇଛନ୍ତି ।

ରାଜସ୍ଥାନ ବିଧାନସଭାରେ ମୋଟ ୨୦୦ ଜଣ ବିଧାୟକ ଥିବାବେଳେ ସରକାର ବଞ୍ଚାଇବାକୁ ୧୦୧ ବିଧାୟକଙ୍କ ସମର୍ଥନ ଜରୁରୀ । ଏବେ କଂଗ୍ରେସ ପଛରେ ୧୦୨ ବିଧାୟକଙ୍କ ସମର୍ଥନ ଥିବାରୁ ସରକାର ପ୍ରତି ବିପଦ ହଟିଯାଇଥିବା କୁହାଯାଉଛି । ଏସବୁ ବିଧାୟକମାନେ ଜୟପୁରର ଫେୟାରମଣ୍ଟ ହୋଟେଲରେ ରହୁଛନ୍ତି ।

ସେପଟେ ସଚିନ ପାଇଲଟଙ୍କ ପଛରେ ୧୮ ଜଣ କଂଗ୍ରେସ ବିଧାୟକଙ୍କ ସମର୍ଥନ ରହିଛି ।

ସମ୍ବନ୍ଧିତ ଖବର