ନିର୍ଣ୍ଣାୟକ ଲଢ଼େଇରେ ଗେହଲଟ-ପାଇଲଟ୍‌, ଅଧିକ ବିଧାୟକଙ୍କୁ ନିଜ ପକ୍ଷକୁ ଆଣିବାକୁ ପାଇଲଟ୍‌ଙ୍କ ପ୍ରୟାସ

ପାଇଲଟ୍‌ଙ୍କ ଘର ବାହୁଡ଼ା ଆଉ ସମ୍ଭବ ନୁହେଁ: କଂଗ୍ରେସ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ୍‌ ଏବେ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ନେଇ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମଧ୍ୟ କୌଣସି ସ୍ଥିତିରେ ବି ପାଇଲଟ୍‌ଙ୍କ ସହିତ ବୁଝାମଣା ନକରି ସରକାର ବଞ୍ଚାଇବାକୁ ବିକଳ୍ପ ରଣନୀତିକୁ ତ୍ବରାନ୍ବିତ କରିଛନ୍ତି। ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନୋଟିସ୍‌ ଏବଂ ଦଳବଦଳ ଆଇନକୁ ଚ୍ୟାଲେଂଜ କରି ପାଇଲଟ୍‌ ଗୋଷ୍ଠୀ ଅଦାଲତଙ୍କ ଦ୍ବାରସ୍ଥ ହେବାପରେ ରାଜ୍ୟ କଂଗ୍ରେସର ଅଡ଼ୁଆ ବଢ଼ିଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ପାଇଲଟ୍‌ ଏବେ ଯେଭଳି ପଦକ୍ଷେପ ନେଇଛନ୍ତି, ସେ ଆଉ କଂଗ୍ରେସକୁ ଫେରିବା ସମ୍ଭବ ନୁହେଁ। ସେ ଦଳ ବିରୋଧରେ ସୀମା ଅତିକ୍ରମ କରିଯାଇଛନ୍ତି ଏବଂ ତାଙ୍କର ପଦକ୍ଷେପ ଘୋର ଦଳବିରୋଧୀ ହୋଇଥିବାରୁ ଦଳକୁ ଫେରିବାର ସବୁ ବାଟ ବନ୍ଦ ହୋଇଯାଇଛି।

ରାଜସ୍ଥାନ ବିଧାନସଭାର ୧୯ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ହେଲେ ଗୃହରେ ସମୀକରଣ ବଦଳିଯିବ। ୨୦୦ ସଦସ୍ୟତା ବିଶିଷ୍ଟ ବିଧାନସଭାରେ ୧୯ ବିଧାୟକ ଅଯୋଗ୍ୟ ଘୋଷିତ ହେଲେ ୧୮୧ ସଦସ୍ୟ ରହି‌ବେ। କଂଗ୍ରେସ ପାଖରେ ଏବେ ୧୦୭ ବିଧାୟକ ଅଛନ୍ତି। ସେଥିରୁ ୧୯ ବିଧାୟକ ଗଲେ ଏହି ସଂଖ୍ୟା ୮୮କୁ ଖସି ଆସିବ। ଏଭଳି ସ୍ଥିତିରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ୯୨ ବିଧାୟକଙ୍କ ସମର୍ଥନ ଦରକାର ପଡ଼ିବ। କଂଗ୍ରେସକୁ ସରକାର ବଞ୍ଚାଇବାକୁ ହେଲେ ଅନ୍ୟ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ। କଂଗ୍ରେସ ଦାବି କରିଛି ଯେ ୧୦ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ସରକାରଙ୍କ ପ୍ରତି ରହିଛି। କଂଗ୍ରେସ ହାଇକମାଣ୍ଡ ଏବେ ପାଇଲଟ୍‌ଙ୍କୁ ମନାଇବା ପ୍ରୟାସ ନକରି ସରକାର ବଞ୍ଚାଇବା ପାଇଁ ସ୍ବାଧୀନ ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ଗୁରୁତ୍ବ ଦେଇଛନ୍ତି। ଅନ୍ୟପକ୍ଷରେ ପାଇଲଟ୍‌ ଗୋଷ୍ଠୀ ମଧ୍ୟ କଂଗ୍ରେସର ଅଧିକ ବିଧାୟକଙ୍କୁ ନିଜ ପଟକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର