ସଚିନ ପାଇଲଟଙ୍କୁ ରୋକିବାକୁ ଗେହଲୋଟଙ୍କ ଯୋଜନା, ମୁଖ୍ୟମନ୍ତ୍ରୀ ପାଇଁ ଏହି ୫ ଜଣଙ୍କ ନାମ ଦେଲେ ପ୍ରସ୍ତାବ

ଜୟପୁର: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଶୋକ ଗେହଲୋଟ୍ ଯଦିଓ ରାଜି ହୋଇଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନ ପ୍ରତି ତାଙ୍କର ମୋହ ଦୂର ହୋଇ ନାହିଁ। ରାହୁଲ ଗାନ୍ଧୀ ‘ଜଣେ ବ୍ୟକ୍ତି ଗୋଟିଏ ପୋଷ୍ଟ’ ଫର୍ମୁଲାକୁ ନେଇ ଜୋର ଦେଇଥିବାବେଳେ ଯଦିଓ ଅଶୋକ ଗେହଲୋଟ୍ ଗୋଟିଏ ପାଦ ପଛକୁ ଫେରିଛନ୍ତି, କିନ୍ତୁ ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ରୋକିବା ପାଇଁ ସେ ସମସ୍ତ ଯୋଜନା କରୁଛନ୍ତି। ମିଳିଥିବା ସୂଚନା ମୁତାବକ ଆଲୋଚନା ହେଉଛି ଯେ ସେ ତାଙ୍କ ସ୍ଥାନରେ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନାମ ସୋନିଆ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପରାମର୍ଶ ଦେଇଛନ୍ତି। ତେବେ ଏହା ବ୍ୟତୀତ ଆଉ କିଛିଙ୍କ ନାମକୁ ସେ ସୋନିଆଙ୍କ ନିକଟରେ ରଖିଛନ୍ତି, ଯାହାଦ୍ୱାରା ପାଇଲଟଙ୍କ ରାସ୍ତାକୁ ରୋକି କରିପାରିବେ।

ସିପି ଯୋଶୀଙ୍କ ସହ ରଘୁ ଶର୍ମା, ବିଡି କାଲା, ଶାନ୍ତି ଲାଲ ଧରୱାଲଙ୍କ ନାମ ମଧ୍ୟ ସେ ସୁପାରିଶ କରିଛନ୍ତି | ଏହି ତିନିଜଣ ଅଶୋକ ଗେହଲୋଟଙ୍କ ନିକଟତର ହୋଇଥିବାବେଳେ ପ୍ରଭାବଶାଳୀ ନେତା। ରାଜ୍ୟ ରାଜନୀତିରେ ଏହି ଚାରିଜଣଙ୍କର ଭଲ ଦଖଲ ରହିଛି ଏବଂ ତାଙ୍କ ମାଧ୍ୟମରେ ଅଶୋକ ଗେହଲୋଟ୍ ରାଜସ୍ଥାନରେ ନିଜର କ୍ଷମତା ବଜାୟ ରଖିବାକୁ ଚାଁହୁଛନ୍ତି । ତେବେ ରାଜସ୍ଥାନ କଂଗ୍ରେସ ଭିତରେ ଲାଲ ମୀନାଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ଏହାର କାରଣ ହେଉଛି ରାଜସ୍ଥାନର ମୋଟ ଜନସଂଖ୍ୟାର ୧୩% ଏସଟି ସମ୍ପ୍ରଦାୟର ହୋଇଥିବାବେଳେ ଦଳିତଙ୍କ ପରେ ଦ୍ୱିତୀୟ ବୃହତ୍ତମ ଭୋଟର ଗୋଷ୍ଠୀ। କେବଳ ଏତିକି ନୁହେଁ, ଏହି ଭୋଟରଙ୍କ ମଧ୍ୟରେ ମୀନାଙ୍କର ଖାସ ପ୍ରଭାବ ଥିବାରୁ ସେ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି |

ସମ୍ବନ୍ଧିତ ଖବର