୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେଇପାରିବେ, କିନ୍ତୁ…: ଗେହଲଟ

ନୂଆଦିଲ୍ଲୀ: ୨୦୨୪ରେ ହେବ ଲୋକସଭା ନିର୍ବାଚନ। ଏନେଇ ଏବେଠୁ ବିଭିନ୍ନ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଏକଜୁଟ ହୋଇ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କୁ ହଟାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ କାହାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ, ତାହା ସ୍ଥିର କରିପାରିନାହାନ୍ତି ବିରୋଧୀ ଦଳ। ଏମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟକ୍କର ଦେବାର ଦକ୍ଷତା ରହିଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।

କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବୁଧବାର କହିଛନ୍ତି ଯେ, ଆସନ୍ତା ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ପାଖରେ ସମସ୍ତ ଦକ୍ଷତା ରହିଛି। କିନ୍ତୁ ଏନେଇ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ନିଷ୍ପତ୍ତି ନେବେ। ଗେହଲଟ୍ ଏହା ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନରେ ​​ପ୍ରଚାର କରନ୍ତୁ ବା ନକରନ୍ତୁ, କିନ୍ତୁ ସେ ଯେଉଁ ପ୍ରସଙ୍ଗକୁ ନେଇ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି, ସେ ପ୍ରସଙ୍ଗ ସାଧାରଣ ଜନତାଙ୍କ ସହ ଜଡ଼ିତ।

ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଗେହଲଟ୍ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ଲୋକଙ୍କୁ ବିଭ୍ରାନ୍ତ କରୁଛି, କିନ୍ତୁ ଗୁଜରାଟରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ଏହା ସହ ହିମାଚଳ ପ୍ରଦେଶରେ କଂଗ୍ରେସ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ। ଉଭୟ ରାଜ୍ୟରେ ରାଜ୍ୟ ସରକାରଙ୍କୁ ବିରୋଧ କରୁଛନ୍ତି ଲୋକେ। କଂଗ୍ରେସ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ମତଦାନ ହେବାକୁ ଯାଉଛି, ମୁଁ ନିଶ୍ଚିତ ଯେ କଂଗ୍ରେସ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ।

ସମ୍ବନ୍ଧିତ ଖବର