ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି ଦଳର ଅସନ୍ତୁଷ୍ଟ ନେତା ସଚିନ ପାଇଲଟ୍‌ ଏବଂ ତାଙ୍କର ୧୮ ଜଣ ସମର୍ଥକ ବିଧାୟକଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ଯାହା କିଛି ଘଟିଯାଇଛି ତାହାକୁ ଭୁଲିଯିବା ଏବଂ କ୍ଷମା କରିଦେବା ହିଁ ଉଚିତ୍‌ ପନ୍ଥା ବୋଲି ସେ କହିଛନ୍ତି। ପାଇଲଟ୍‌ ଗୋଷ୍ଠୀ ସହ ବୁଝାମଣା ପରେ ସେମାନେ ଆଜି ପ୍ରଥମ ଥର ପାଇଁ ଦଳୀୟ ବୈଠକରେ ଅଂଶଗ୍ରହଣ କରିଛନ୍ତି। ପ୍ରାୟ ଏକ ମାସ ଧରି ଚାଲିଥିବା ଛକାପଞ୍ଝାର ଅବସାନ ସହିତ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ମଧ୍ୟ ସରକାରଙ୍କ ପାଇଁ କୌଣସି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ନାହିଁ। ଆଜି ସକାଳେ ଗେହଲଟ୍‌ କହିଥିଲେ, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ। ଆଜି ବୈଠକରେ ଉଭୟ ପାଇଲଟ୍‌ ଓ ଗେହଲଟ୍‌ ପରସ୍ପର ହାତ ମିଳାଇଥିଲେ। ପୂର୍ବ ତିକ୍ତତାକୁ ଭୁଲିଯାଇ ସରକାରକୁ ପୁଣି ସ୍ବାଭାବିକ ଚଳାଇବା ନିମନ୍ତେ ଦୁଇ ନେତାଙ୍କ ସହମତି ସେମାନଙ୍କ ଭାବଭଙ୍ଗିରୁ ଜଣା ପଡ଼ିଛି।

Advertisment

ସପ୍ତାହେ ପୂର୍ବରୁ ସରକାରଙ୍କ ପ୍ରତିି ଥିବା ବିପଦ ଟଳିଛି। ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ଏବେ ଗେହଲଟ୍‌ଙ୍କ ସମର୍ଥକ ସଂଖ୍ୟା ୧୦୨ରେ ପହଞ୍ଚିଛି। ଏବେ ପାଇଲଟ୍‌ ଗୋଷ୍ଠୀଙ୍କ ବିଦ୍ରୋହର ପରିସମାପ୍ତି ଘଟିଥିବାରୁ ଆଉ ସରକାର ପ୍ରତି ବିପଦ ନାହିଁ ବୋଲି ଜଣାପଡ଼ିଛି। ରାହୁଲ ଓ ପ୍ରିୟଙ୍କାଙ୍କ ରଣନୀତି ପାଇଲଟ୍‌ଙ୍କ କ୍ଷେତ୍ରରେ ସଫଳ ହୋଇଥିବାରୁ ଦଳ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା ପାଇଯାଇଛି।