ରାଜସ୍ଥାନ ରାଜନୈତିକ ସଂକଟ ଟଳିଲା : ଆସ୍ଥା ଭୋଟ ଜିତିଲେ ଗେହଲଟ୍‌

୨୧ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ, ଦ୍ବିତୀୟ ଧାଡ଼ିରେ ବସିଲେ ସଚିନ

ଜୟପୁର : କଂଗ୍ରେସ ନେତା ସଚିନ ପାଇଲଟଙ୍କ ଅ‌‌ସନ୍ତୋଷ ଯୋଗୁଁ ରାଜସ୍ଥାନ ସରକାରରେ ଗତ ୧ ମାସରୁ ଊର୍ଧ୍ବ ସମୟ ଧରି ଦେଖାଦେଇଥିବା ରାଜନୈତିକ ସଂକଟ ଆଜି ଶେଷରେ ଟଳିଯାଇଛି। ବିଧାନସଭାରେ ଆଜି ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ବିଜୟୀ ହୋଇଛି। ଆସ୍ଥାଭୋଟରେ ସରକାର ବିଜୟୀ ହେବା ପରେ ବାଚସ୍ପତି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରି ଦେଇଛନ୍ତି।

ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି କୁମାର ଧରିୱାଲ ସରକାରଙ୍କ ପକ୍ଷରୁ ଆସ୍ଥା ପ୍ରସ୍ତାବ ଆଗତ କରିବା ପରେ ବାଚସ୍ପତି ସି ପି ଯୋଶୀ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଉକ୍ତ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୩ ଘଣ୍ଟା ସମୟ ବାଚସ୍ପତି ପ୍ରଦାନ କରିଥିଲେ। ବିତର୍କ ପରେ ସରକାର ବାଚନିକ ମତରେ ଆସ୍ଥା ଭୋଟରେ ଜିତିଛନ୍ତି। ଆସ୍ଥା ଭୋଟରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ଦେଶରେ ନିର୍ବାଚିତ ସରକାରମାନଙ୍କୁ ଅସ୍ଥିର କରିବା ପାଇଁ ଯେଉଁ ଶକ୍ତିମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଲାଗି ଏହି ବିଜୟ ଏକ ବାର୍ତ୍ତା ଦେବାରେ ସମର୍ଥ ହେବ। ବିରୋଧୀଙ୍କ ପ୍ରତ୍ୟେକ କୌଶଳ ରାଜସ୍ଥାନରେ ବିଫଳ ହୋଇଛି। ସରକାରଙ୍କ ଉପରେ ଲୋକଙ୍କର ରହିଥିବା ଭରସା ଏବଂ କଂଗ୍ରେସ ବିଧାୟକମାନେ ଏକାଠି ରହିବା କାରଣରୁ ଏହି ବିଜୟ ସମ୍ଭବ ହୋଇଛି ବୋଲି ଗେହଲଟ କହିଛନ୍ତି। ସେହିଭଳି ଏହି ବିଜୟ ଦ୍ବାରା ସବୁ କଳ୍ପନାଜଳ୍ପନାର ଅନ୍ତଘଟିବ ବୋଲି ସଚିନ ପାଇଲଟ କହିଛନ୍ତି। ଆସ୍ଥାଭୋଟ ବିତର୍କରେ ଉଭୟ ମୁଖ୍ୟମନ୍ତ୍ରୀ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପାଇଲଟ ବିରୋଧୀଙ୍କୁ ଶାଣିତ ଢଙ୍ଗରେ ଆକ୍ରମଣ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଗେହଲଟ ସମାଲୋଚନା କରିଥିଲେ। ସେହିଭଳି ବିତର୍କରେ ଭାଗନେଇ ପାଇଲଟ କହିଥିଲେ, କଂଗ୍ରେସ ଦଳରେ ରହିଥିବା ସମସ୍ୟାର ସମାଧାନ ହୋଇଛି। ଶାସକ ଦଳ ଏକତ୍ରିତ ରହିଛି ବୋଲି ସେ କହିଥିଲେ। ବିଜେପି ଦଳ ପକ୍ଷରୁ କଂଗ୍ରେସ ଦଳର ଅନ୍ତଃକନ୍ଦଳ ପ୍ରସଙ୍ଗ ଉଠାଇଥିଲେ। ଏହାର ଜବାବରେ ପାଇଲଟ କହିଥିଲେ ଏହି ପ୍ରସଙ୍ଗ କଂଗ୍ରେସ ଦଳକୁ ଛାଡ଼ି ଦିଆଯିବା ଆବଶ୍ୟକ। ବିରୋଧୀ କେବଳ ଆସ୍ଥା ଭୋଟ ବିତର୍କ ଉପରେ ଧ୍ୟାନ ଦେବା ଉଚିତ।

ଅଧିବେଶନ ଦିନ ୧୧ଟାରେ ଆରମ୍ଭ ହୋଇଥିଲା। ଏହାପରେ ମଧ୍ୟପ୍ରଦେଶର ପୂର୍ବତନ ରାଜ୍ୟପାଳ ଲାଲଜୀ ଟଣ୍ଡନ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଓ ନିକଟରେ ମୃତ୍ୟୁବରଣ କରିଥିବା ଅନ୍ୟ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହାପରେ ଗୃହକୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଥିଲା। କରୋନା ମହାମାରୀ ପରିପ୍ରେକ୍ଷୀରେ ଗୃହରେ ବିଧାୟକମାନଙ୍କ ଭିତରେ ଯେଭଳି ସାମାଜିକ ଦୂରତା ରହିବ ସେଥିପାଇଁ ବସିବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସରକାରରୁ ପାଇଲଟ ଓ ବିଶ୍ବବେନ୍ଦ୍ର ସିଂହଙ୍କୁ ବହିଷ୍କୃତ କରାଯାଇ ଥିବାରୁ ତାଙ୍କ ଆସନରେ ପରିବର୍ତ୍ତନ କରାଯାଇଥିଲା। ସଚିନ ପ୍ରଥମ ଧାଡ଼ି ପରିବର୍ତ୍ତେ ଦ୍ବିତୀୟ ଧାଡ଼ିରେ ଏବଂ ବିଶ୍ବବେନ୍ଦ୍ର ଶେଷ ଧାଡ଼ିରେ ବସିବା ଦେଖାଯାଇଥିଲା। ପାଇଲଟଙ୍କୁ ଅନ୍ୟ ଆସନରେ ବସାଯିବା ବ୍ୟବସ୍ଥା କରାଯାଇଥିବାରୁ ବିଜେପି ବିଧା‌ୟକମାନେ ଏହାର ସମାଲୋଚନା କରିଥିଲେ। ତେବେ ସଚିନ ଏହାର କଡ଼ା ଜବାବ ଦେଇଥିଲେ। ସାହସୀ ଯୋଦ୍ଧାକୁ ସୀମାକୁ ପଠାଯାଇଛି ବୋଲି ସେ ତାଙ୍କ ଉତ୍ତରରେ ରହିଥିଲେ। ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ଜଣ ସଦସ୍ୟ ଅଛନ୍ତି। ଏହାର ସହଯୋଗୀଙ୍କୁ ମିଶାଇଲେ ସରକାରଙ୍କ ସପକ୍ଷରେ ୧୨୨ରୁ ଅଧିକ ଓ ବିରୋଧୀ ବିଜେପି ପକ୍ଷରେ ୭୫ ଜଣ ବିଧାୟକ ରହିଛନ୍ତି। ଆସ୍ଥା ଭୋଟରେ ବିଜୟୀ ହେବା ପରେ ଗେହଲଟ ସରକାର ପ୍ରତି ଅତିକମ୍‌ରେ ୬ ମାସ ପାଇଁ ଆଉ କୌଣସି ବିପଦ ନାହିଁ।

ସମ୍ବନ୍ଧିତ ଖବର