ଗେହଲଟ ମନ୍ତ୍ରିମଣ୍ଡଳର ପୁନର୍ଗଠନ, ୧୫ ନୂଆ ମନ୍ତ୍ରୀ ସାମିଲ

ପାଇଲଟ ଗୋଷ୍ଠୀର ୫ ଜଣଙ୍କୁ ସ୍ଥାନ ମିଳିଲା, ୧୧ କ୍ୟାବିନେଟ୍‌, ୪ ରାଷ୍ଟ୍ରମନ୍ତ୍ରୀ ଶପଥ ନେଲେ

ଜୟପୁର : ରାଜସ୍ଥାନରେ ରବିବାର ଦିନ ଅଶୋକ ଗେହଲଟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହୋଇଛି ଏବଂ ୧୫ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ଗତକାଲି ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ପାଇଁ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଥିଲେ। ଆଜି ୧୧ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ପାଇଲଟ ଗୋଷ୍ଠୀର ୫ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ପାଇଲଟ୍‌ଙ୍କ ଦୃଢ଼ ସମର୍ଥକ ହେମାରାମ ଚୌଧାରୀ ଆଜି ପ୍ରଥମେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ କଲରାଜ ମିଶ୍ର ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଜିର ସଂପ୍ରସାରଣରେ ହେମାରାମ ଚୌଧାରୀ, ମହେନ୍ଦ୍ରଜିତ ମାଲବୀୟ, ରାମଲାଲ ଜାଟ, ମହେଶ ଯୋଶୀ, ବିଶ୍ବେନ୍ଦ୍ର ସିଂହ, ରମେଶ ମୀନା, ମମତା ଭୂପେଶ, ଭଜନଲାଲ ଜାଟବ, ଟିକାରାମ ଜୁଲି, ଗୋବିନ୍ଦ ରାମ ମେଘୱାଲ ଏବଂ ଶକୁନ୍ତଳ ରାୱତ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅନ୍ୟପକ୍ଷରେ ଜାହିଦା ଖାନ୍‌, ବ୍ରଜେନ୍ଦ୍ର ସିଂହ ଓଲା, ରାଜେନ୍ଦ୍ର ଗୁଢ଼ା ଏବଂ ମୂରଲୀଲାଭ ମୀନା ରାଷ୍ଟ୍ରମନ୍ତ୍ରୀ ଭାବେ ଭାବେ ଶପଥ ନେଇଥିଲେ।

ଗେହଲଟ ସରକାର ଆସନ୍ତା ମାସରେ ୩ ବର୍ଷର କାର୍ଯ୍ୟକାଳ ସଂପୂର୍ଣ୍ଣ କରିବାକୁ ଯାଉଛି ଏବଂ ଏହା ପୂର୍ବରୁ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ନେଇ ରାଜ୍ୟ ରାଜନୀତି ସରଗରମ ରିହଛି। ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳର ଅବସାନ ଘଟାଇବା ସହ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବାକୁ କଂଗ୍ରେସ ହାଇକମାଣ୍ଡ ଏହି ସଂପ୍ରସାରଣ ପାଇଁ କିଛି ମାସ ଧରି ପ୍ରୟାସ ଚଳାଇଥିଲେ ଏବଂ ଆଜି ଏହା ଫଳବତୀ ହୋଇଛି। କୌଣସି ବଡ଼ ଅସନ୍ତୋଷ ନଥାଇ ମନ୍ତ୍ରିମଣ୍ଡଳ ପୁନର୍ଗଠନ ପ୍ରକ୍ରିୟା ସଂପନ୍ନ ହୋଇଥିବାରୁ ଏହା ଦଳ ପାଇଁ ଆଶ୍ବସ୍ତିର କାରଣ ହୋଇଛି। ବିଏସ୍‌ପି ତ୍ୟାଗ କରି କଂଗ୍ରେସରେ ସାମିଲ ହୋଇଥିବା ୬ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ହିଁ ମନ୍ତ୍ରି ପଦ ମିଳିଛି। କ୍ୟାବିନେଟ୍‌ ମନ୍ତ୍ରୀ ରଘୁ ଶର୍ମା, ହରିଶ ଚୌଧାରୀ ଏବଂ ରାଷ୍ଟ୍ରମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସରାଙ୍କୁ ହଟାଇ ଦିଆଯାଇଛି। ଏହି ତିନି ମନ୍ତ୍ରୀଙ୍କୁ ଏବେ ସାଂଗଠନିକ ଦାୟିତ୍ବ ମିଳିଛି।

ମନ୍ତ୍ରିମଣ୍ଡଳ ଅଦଳବଦଳ ଭଲ ବାର୍ତ୍ତା ଦେଇଛି: ପାଇଲଟ
ଜୟପୁର : ଅଶୋକ ଗେହଲଟ ସରକାରରେ ହୋଇଥିବା କ୍ୟାବିନେଟ୍ ଅଦଳବଦଳକୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ସ୍ବାଗତ କରିଛନ୍ତି। ଏହା ରାଜ୍ୟକୁ ଏକ ଭଲ ବାର୍ତ୍ତା ଦେଇଛି। ଦଳରେ କୌଣସି ଗୋଷ୍ଠୀବାଦ ନାହିଁ ବୋଲି ସ୍ପଷ୍ଟ ହୋଇଥିବା ସ‌େ କହିଛନ୍ତି। ଗତବର୍ଷ ବିଦ୍ରୋହ ଯୋଗୁ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। ତେବେ ସେ ଉଠାଇଥିବା ପ୍ରସଙ୍ଗକୁ ଧ୍ୟାନ ଦିଆଯାଇଥିବାରୁ ସେ ଖୁସି ଅଛନ୍ତି ବୋଲି କହିଛନ୍ତି। ମନ୍ତ୍ରିମଣ୍ଡଳରେ ୪ ଜଣ ଦଳିତଙ୍କୁ ସାମିଲ କରାଯାଇଛି। ଏହା ଏକ ବଡ଼ ବାର୍ତ୍ତା ଦେଇଛି। ଏଥିସହିତ ଆଦିବାସୀ ଓ ମହିଳାମାନଙ୍କ ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଇଛି। ଏହା ଆବଶ୍ୟକ ଥିଲା। ଦଳ ଏବଂ ସରକାରଙ୍କୁ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଛି ବୋଲି ପାଇଲଟ କହିଛନ୍ତି। ୨୦୨୩ ବିଧାନସଭା ନିର୍ବାଚନରେ ଜିତିବା ପାଇଁ ସମସ୍ତେ ମିଳିମିଶି କାମ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର