ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର ଆଭ୍ୟନ୍ତରୀଣ କଳହ ପୁଣି ଜଟିଳ ରୂପ ନେଇଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଟିମ୍‌ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଦାବି କରିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗେହଲଟ କହିଛନ୍ତି, ଜଣେ ‘ଗଦ୍ଦାର’ (ବିଶ୍ବାସଘାତକ) କେବେ ବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଏନ୍‌ଡିଟିଭିକୁ ସାକ୍ଷାତକାର ଦେଇ ଗେହଲଟ ଆଜି ପାଇଲଟଙ୍କୁ ୬ ଥର ‘ଗଦ୍ଦାର’ ବୋଲି କହିଛନ୍ତି। ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଗେହଲଟ ଆଜି ଏଭଳି ଟିପ୍ପଣୀ ଦେଇଛନ୍ତି। ବାରମ୍ବାର ପାଇଲଟଙ୍କୁ ଗଦ୍ଦାର କହିବା ସହ ଗେହଲଟ କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିପାରିବେନି।

Advertisment

ଜଣେ ବ୍ୟକ୍ତି ଯାହା ପାଖରେ ୧୦ ଜଣ ବିଧାୟକ ନାହାନ୍ତି ଏବଂ ଯିଏ ନିଜ ଦଳ ବିରୋଧରେ ବିଦ୍ରୋହ କରୁଛନ୍ତି ସେଭଳି ଲୋକଙ୍କୁ ପାର୍ଟି ହାଇ କମାଣ୍ଡ କେବେ ବି ମୁଖ୍ୟମନ୍ତ୍ରୀ କରିବାକୁ ଚାହିବେ ନାହିଁ। ୨୦୨୦ ମସିହାରେ ପାଇଲଟଙ୍କ ବିଦ୍ରୋହ ପ୍ରସଙ୍ଗରେ ଗେହଲଟ କହିଛନ୍ତି, ବିଜେପି ଏଥିପାଇଁ ପାଣ୍ଠି ଦେଇଥିଲା। ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ନେତା ଏହି କାର୍ଯ୍ୟ ପଛରେ ଥିଲେ ବୋଲି ଗେହଲଟ ‌କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ଜଣେ ଗୁର୍ଜର ନେତା ବିଜୟ ସିଂହ ରାହୁଲ ଗାନ୍ଧିଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି ପାଇଲଟ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ ରାଜ୍ୟରେ ଭାରତ ଯୋଡ଼ୋ ଯାତ୍ରାରେ ବାଧା ଉପୁଜିବ। ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ଖୁବ୍‌ଶୀଘ୍ର ଦଳ ନିଷ୍ପତ୍ତି ନେଇପାରେ ବୋଲି ଦଳୀୟ ମହଲରେ ଖବର ପ୍ରଚାରିତ ହେବାପରେ ଏହା କରାଇ ନଦେବା ପାଇଁ ଗେହଲଟ ଦଳ ଉପରେ ଚାପ ସୃଷ୍ଟି କରୁଥିବା କୁହାଯାଉଛି।

ନୂଆଦିଲ୍ଲୀ: କଂଗ୍ରେସ ନେତା ସଚିନ ପାଇଲଟ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ବିରୋଧରେ ଦେଇଥିବା ‘ଗଦ୍ଦାର’ ଟିପ୍ପଣୀର ପ୍ରତିକ୍ରିୟା ରଖିଛନ୍ତି। ପାଇଲଟ କହିଛନ୍ତି, ଏସବୁ ଭିତ୍ତିହୀନ ଅଭିଯୋଗ ଏବଂ ଏଭଳି ବେପରୁଆ ବୟାନର କୌଣସି ଆବଶ୍ୟକତା ନାହିଁ। ଗେହଲଟ କିଛି ଲୋକଙ୍କୁ ଭୁଲ୍‌ କଥାରେ ପରିଚାଳିତ ହେଉଛନ୍ତି ବୋଲି ସେ କହିଛନ୍ତି। ପାଇଲଟଙ୍କ ବିରୋଧରେ ଗେହଲଟଙ୍କ ବିସ୍ଫୋରକ ବୟାନ ପାଇଁ ଦଳୀୟ ସଙ୍କଟ ବଢ଼ିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ବିବାଦର ସମାଧାନ ପାଇଁ ପାଇଁ ଚେଷ୍ଟା ଜାରି ରହିଛି। ଏଆଇସିସି ସାଧାରଣ ସଚିବ ଜୟରାମ ରମେଶ ଏକ ଟ୍ବିଟ୍‌ କରି କହିଛନ୍ତି, ଗେହଲଟ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ରାଜନେତା। ସେ ତାଙ୍କ କନିଷ୍ଠ ସହକର୍ମୀ ସଚିନ ପାଇଲଟଙ୍କୁ ନେଇ ଯାହା ବି କହିଛନ୍ତି ତା’ର ସମାଧାନ ହେବ। ବର୍ତ୍ତମାନ ଭାରତ ଯୋଡ଼ୋ ଯାତ୍ରାକୁ ସଫଳ କରିବାପାଇଁ କାମ କରିବା ପ୍ରତି କଂଗ୍ରେସ ନେତାଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗେହଲଟଙ୍କ ମନ୍ତବ୍ୟକୁ ନେଇ ପାଇଲଟ ସମର୍ଥକଙ୍କ ରଣନୀତି ଆଗକୁ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।