ଆଜି ଗେହଲଟ୍‌-ପାଇଲଟ୍‌ ପୁନର୍ମିଳନ: ବିଧାୟକଙ୍କୁ ଗେହଲଟ୍‌ଙ୍କ ବାର୍ତ୍ତା ଯାହା ହୋଇଛି ଭୁଲିଯ‌ାଅ, କ୍ଷମା କରିଦିଅ

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ସଙ୍କଟ ଶେଷ ହୋଇଛି ବୋଲି କଂଗ୍ରେସ ଘୋଷଣା କରିବାର ୩ ଦିନ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆସନ୍ତାକାଲି ତାଙ୍କ ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ସହ ସାକ୍ଷାତ କରିବେ। ଆସନ୍ତାକାଲି ସିଏଲ୍‌ପି ବୈଠକ ଥିବାବେଳେ ଏହି ବୈଠକରେ ଗେହଲଟ୍‌-ପାଇଲଟ୍‌ ମୁହାଁମୁହିଁ ହେବେ। ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧାନସଭା ଅଧିବେଶନ ଥିବାବେଳେ ଏହାର ଦିନକ ପୂର୍ବରୁ ଆସନ୍ତାକାଲି ସିଏଲ୍‌ପି ବୈଠକ ଅଛି।

ପାଇଲଟ୍‌ ଦୀର୍ଘ ୧ ମାସର ବିଦ୍ରୋହ ପରେ ଗତକାଲି ଜୟପୁରକୁ ଫେରିଥିଲେ। ପାଇଲଟ୍‌ ଆସନ୍ତାକାଲି ଏହି ବୈଠକରେ ଯୋଗ ଦେବେ। ବିଦ୍ରୋହ ପରେ ଗେହଲଟ୍‌-ପାଇଲଟ୍‌ଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ଗେହଲଟ୍‌ କିନ୍ତୁ ପାଇଲଟ୍‌ଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆଦୌ ଖୁସି ନାହାନ୍ତି। ଅନ୍ୟପକ୍ଷେ ସେ ତାଙ୍କ ବିଧାୟକମାନଙ୍କୁ ଆଜି କହିଛନ୍ତି ଯେ, ଦେଶ ଏବଂ ରାଜ୍ୟର ଲୋକମାନଙ୍କ ସେବା କରିବାପାଇଁ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମକୁ ଏକାଠି କାମ କରିବାକୁ ପଡ଼ିବ। କିଛି କଥା ଭୁଲିଯିବାକୁ ପଡ଼ିବ ଏବଂ କିଛି ଭୁଲକୁ କ୍ଷମା ଦେବାକୁ ପଡ଼ିବ ବୋଲି ଗେହଲଟ୍‌ କହିଛନ୍ତି।

ଜୟପୁର: ଦୀର୍ଘ ଏକ ମାସର ଡ୍ରାମା ପରେ ରାଜସ୍ଥାନର ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଦିଲ୍ଲୀରୁ ‌ଜୟପୁରକୁ ଫେରିଛନ୍ତି। କିନ୍ତୁ ପାଇଲଟ୍‌ଙ୍କ ପ୍ରତ୍ୟାବର୍ତ୍ତନରେ ଖୁସି ନାହାନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ତାଙ୍କ ବିଧାୟକ ଗୋଷ୍ଠୀ। ପାଇଲଟ୍‌ ଫେରିବା ପରେ ଗେହଲଟ୍‌ ତାଙ୍କୁ ଭେଟିନାହାନ୍ତି। କିନ୍ତୁ ଗେହଲଟ୍‌ ଆଜି ବିଧାୟକମାନଙ୍କୁ ଏକ ବାର୍ତ୍ତା ଜା‌ରି କରି କହିଛନ୍ତି ଯେ, ବୁଝାମଣା ପରେ କଂଗ୍ରେସ ବିଧାୟକମାନେ ଖୁବ୍‌ ନିରାଶ ହୋଇଯାଇଛନ୍ତି ।

ଯେଉଁଭଳି ଢଙ୍ଗରେ ଏହି ଅଧ୍ୟାୟ ଆରମ୍ଭ ହୋଇଥିଲା ସେମାନଙ୍କୁ ମାସେ ପର୍ଯ୍ୟନ୍ତ ରଖାଯାଇଥିଲା ତାହା ନିଶ୍ଚିତ ଭାବେ ନିରାଶାଜନକ। ତେବେ ଯାହା ହୋଇଛି ତାକୁ ଭୁଲି ଯିବାକୁ ପଡ଼ିବ ଏବଂ କ୍ଷମା କରିଦେବାକୁ ପଡ଼ିବ । ଗେହଲଟ୍‌ କହିଛନ୍ତି କିଛି ସମୟରେ ଆମକୁ ଦେଶ, ରାଜ୍ୟ ଏବଂ ଲୋକମାନଙ୍କର ସେବା କରିବା ସହ ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ଅତ୍ୟନ୍ତ ଧୈର୍ଯ୍ୟଶୀଳ ହେବାପାଇଁ ପଡ଼ିବ। ଭୁଲ୍‌କୁ କ୍ଷମା କରି ଆମକୁ ଗଣତନ୍ତ୍ର ପାଇଁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର