ଭୋପାଳ : କଂଗ୍ରେସ ସଭାପତି ନିର୍ବାଚନ ଲଢ଼ୁଥିବା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମର୍ଥନ କରି ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଟ୍ବିଟ୍‌ କରିଥିଲେ। ଗେହଲଟ ଖଡ଼ଗେଙ୍କୁ ସମର୍ଥନ କରି ଟ୍ବିଟ୍‌ କରିଥିବା ଭିଡିଓରେ କହିଛନ୍ତି, ଆଶା କରୁଛି ସମସ୍ତ ପ୍ରତିନିଧି ଖଡ଼ଗେଙ୍କୁ ଦଳର ନୂଆ ମୁଖ୍ୟ ଭାବେ ନିର୍ବାଚିତ କରିବେ। ଗେହଲଟଙ୍କ ଏଭଳି ଖୋଲାଖୋଲି ସମର୍ଥନକୁ ଶଶୀ ଥରୁର ବିରୋଧ କରିଛନ୍ତି। ଥରୁର କହିଛନ୍ତି, ଦଳୀୟ ‌ନେତୃବୃନ୍ଦଙ୍କଠାରୁ ସ୍ପଷ୍ଟ ସୂଚନା ରହିଛି ଯେ ମୁଖ୍ୟମନ୍ତ୍ରୀ କିମ୍ବା ପିସିସି ମୁଖ୍ୟ କୌଣସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେନି। ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ହେବ। କିନ୍ତୁ ଗେହଲଟ ଯେଉଁ କାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଂକ୍ରାନ୍ତ ନିଷ୍ପତ୍ତି ସିଇଏ (କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ) ନେବାକୁ ହେବ ବୋଲି ଥରୁର କହିଛନ୍ତି।