କାଠମାଣ୍ଡୁ: ନେପାଳରେ ରାଜନୈତିକ ଦୁର୍ନୀତିକୁ ମୂଳୋତ୍ପାଟନ କରି ଯୁବବର୍ଗଙ୍କ କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ଏବଂ ପଡ଼ୋଶୀ ରାଷ୍ଟ୍ର ଭାରତ ସହ ଘନିଷ୍ଠ ସଂପର୍କ ପାଇଁ ଜେନ୍‌ ଜେଡ୍‌ ନେତା ଆହ୍ବାନ ଦେଇଛନ୍ତି।  ନେପାଳ ଜେନ୍ ଜେଡ୍ କୋର୍ କମିଟି ସଦସ୍ୟ ତାନାକା ଧାମୀ ଏବଂ ଅର୍ଜୁନ ଶାହି କହିଛନ୍ତି ଯେ ଆମ ଆନ୍ଦୋଳନ ଏକ ଦୁର୍ନୀତିମୁକ୍ତ ରାଜନୈତିକ ବ୍ୟବସ୍ଥା ଏବଂ ଯୁବ ନେପାଳୀମାନଙ୍କ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।  ଏଥିପାଇଁ ଆମେ ସର୍ବଦା ସରକାର ଉପରେ ଚାପ ପକାଇବୁ ଏବଂ ଏକ ସ୍ବଚ୍ଛ ବ୍ୟବସ୍ଥା କାଏମ ରଖିବା ନୀତିରେ ଅଟଳ ରହିବୁ ବୋଲି ସେମାନେ କହିଛନ୍ତି। ଅର୍ଥନୈତିକ ବିକାଶ ପାଇଁ ନ୍ତର୍ଜାତୀୟ ସହଯୋଗ ପାଇଁ ମୁକ୍ତନୀତିର ସଙ୍କେତ ଦେଇ ଯୁବ ନେତାମାନେ କହିଛନ୍ତି ଯେ ଆମେ ଚାହୁ ଭାରତ ଏବଂ ଅନ୍ୟ ଦେଶମାନେ ନେପାଳରେ ପୁଞ୍ଜି ବିନିଯୋଗ କରନ୍ତୁ। ଭାରତ ସହ ଆମର ସଂପର୍କ ଅତି ଘନିଷ୍ଠ ରହିବା ଜରୁରୀ ବୋଲି ସେମାନେ କହିଛନ୍ତି। 

Advertisment

ସ୍ଥାନୀୟ ସୁଯୋଗର ଅଭାବ ଉପରେ ଆଲୋକପାତ କରି ଜେନ୍‌ ଜେଡ୍‌ ନେତା କହିଛନ୍ତି,  ଦେଶରେ କର୍ମନିଯୁକ୍ତିର ଘୋର ଅଭାବ ଯୁବ  ନେପାଳୀମାନଙ୍କୁ ବିଦେଶ ଯିବାକୁ ବାଧ୍ୟ କରିଥାଏ। ରାଜନୈତିକ ଦୁର୍ନୀତି ଶେଷ ହେଲେ ହିଁ ଏହି ଅବସ୍ଥାରେ ପରିବର୍ତ୍ତନ ଆସିବ ବୋଲି ସେମାନେ କହିଛନ୍ତି। ବର୍ତ୍ତମାନର ଅନ୍ତରୀଣ ସରକାରର ଭୂମିକା ବିଷୟରେ  ଜେନ୍ ଜେଡ୍ ନେତାମାନେ କହିଛନ୍ତି ଯେ ସେମାନଙ୍କର ପ୍ରାଥମିକତା ପଦବିରେ ରହିବା ନୁହେଁ ବରଂ ନେପାଳର ଶାସନ ବ୍ୟବସ୍ଥାର ପୁନଃନିର୍ମାଣ କରିବା ଉପରେ  ରହିବ। ‘ଆମେ ଏକ ନୂତନ ସରକାର ସହିତ ଦେଶକୁ ପୁନଃନିର୍ମାଣ କରିବାର ଯୋଜନା ରଖିଛୁ। ଜେନ୍ ଜେଡ୍ ବିପ୍ଳବ ମାଧ୍ୟମରେ ଯାହା ଘଟିଲା ତାହା ଇତିହାସରେ କେବେ ଘଟି ନାହିଁ ଏବଂ ଏହାର ପୁନରାବୃତ୍ତି ହୋଇପାରିବ ନାହିଁ ବୋଲି ଶାହି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସରକାରରେ କିଏ ରହିବା ଉଚିତ ତାହା ସ୍ଥିର କରିବାକୁ ସେମାନେ ଆଗ୍ରହୀ ନୁହଁନ୍ତି, କିନ୍ତୁ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ  ବ୍ୟବସ୍ଥାର ସମୀକ୍ଷା ଏବଂ ସଂସ୍କାର ଉପରେ ସର୍ବଦା ଫୋକସ୍‌ ରହିବ।

ନେପାଳ ଏକ ହିନ୍ଦୁ ରାଷ୍ଟ୍ର ଆଡକୁ ଗତି କରୁଥିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଜେନ୍ ଜେଡ୍ ସଦସ୍ୟମାନେ କହିଛନ୍ତି,  ବିଭିନ୍ନ ଧର୍ମର ଲୋକମାନେ ଭେଦଭାବ ବିନା ଏଠାରେ ଏକାଠି ରୁହନ୍ତି। ଆମେ ମାନବିକତା ଉପରେ ଧ୍ୟାନ ଦେବାକୁ ଚାହୁଛୁ। ନେପାଳ ହେଉଛି ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମର କେନ୍ଦ୍ର; ଆମେ ସମସ୍ତ ଧର୍ମକୁ ଏକାଠି ରଖିବାକୁ ଲକ୍ଷ୍ୟ ରଖିଛୁ । କମିଟିର ସଦସ୍ୟମାନେ ଭାରତ ଏବଂ ଏହାର ନେତୃତ୍ୱ ପ୍ରତି ସମ୍ମାନ ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ୱର ସବୁଠାରୁ ବଡ ନେତାମାନଙ୍କ ମଧ୍ୟରୁ ଜଣେ। ସେ ଭାରତୀୟ ଅର୍ଥନୀତିକୁ ଶୀର୍ଷ ତୃତୀୟ ସ୍ଥାନକୁ ନେଉଛନ୍ତି । ନେପାଳ ପ୍ରତି ତାଙ୍କର ଆଭିମୁଖ୍ୟକୁ ଆମେ ସ୍ୱାଗତ କରୁଛୁ ବୋଲି ଜେନ୍‌ ଜେଡ୍‌ ନେତା କହିଛନ୍ତି।