ଇସଲାମାବାଦ: ଭୀଷଣ ଆର୍ଥିକ ସଙ୍କଟରେ ଛଟପଟ ହେଉଥିବା ପାକିସ୍ତାନରେ ଶେହବାଜ ସରିଫ୍ ସରକାର ଏବେ ନୂଆ ବିପଦର ସମ୍ମୁଖୀନ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଏବେ ଜେନ୍ ଜେଡ୍ ଆନ୍ଦୋଳନ ମୁଣ୍ଡ ଟେକିଲାଣି। ଯୁବ ଛାତ୍ରମାନେ ଶିକ୍ଷା ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଏହା ଏବେ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଛି। ନେପାଳରେ ଜେନ୍ ଜେଡ୍ ଦ୍ୱାରା ଯେଭଳି ସରକାରକୁ କ୍ଷମତାଚ୍ୟୁତ କରାଯାଇଥିଲା, ପାକିସ୍ତାନରେ ମଧ୍ୟ ସେଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଅକ୍ଟୋବର ୩୦, ୨୦୨୫ରେ ପିଓକେର ମୀର୍ପୁର ଓ ମୁଜଫରାବାଦରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏବେ ଏହା ବ୍ୟାପକ ରୂପ ନେଇଛି। ଛାତ୍ରମାନେ ଏକାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଇ-ମାର୍କିଂ ସିଷ୍ଟମ (ଡିଜିଟାଲ୍ ମୂଲ୍ୟାଙ୍କନ) ଯୋଗୁଁ ଅନେକ ଛାତ୍ରଙ୍କୁ ଅପ୍ରତ୍ୟାଶିତ କମ୍ ନମ୍ବର ମିଳିଛି। କେତେକଙ୍କୁ ଏପରି ପରୀକ୍ଷାରେ ପାସ୍ ଦର୍ଶାଯାଇଛି, ଯେଉଁଥିରେ ସେମାନେ ଅଂଶଗ୍ରହଣ ହିଁ କରି ନଥିଲେ। ପୁନଃମୂଲ୍ୟାଙ୍କନ ପାଇଁ ପ୍ରତି ବିଷୟରେ ୧୫୦୦ ଟଙ୍କା ଫି ଦେବା ଗରିବ ପରିବାର ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଏହାକୁ ନେଇ ହଜାର ହଜାର ଛାତ୍ର ରାସ୍ତାରେ ଟାୟାର ଜାଳି ଏବଂ ସରକାର ବିରୋଧୀ ସ୍ଲୋଗାନ ଦେଇ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ବିଭିନ୍ନ ଯୁବ ସଂଗଠନ ସମର୍ଥନ କରିବା ସହ ସୋସିଆଲ ମିଡିଆରେ ସରକାର ବିରୋଧୀ ଲହର ଆରମ୍ଭ ହୋଇଛି। ତେବେ କେବଳ ଶିକ୍ଷା ସମସ୍ୟା ନୁହେଁ, ମୁଦ୍ରାସ୍ଫୀତି (୨୫%ରୁ ଅଧିକ), ବେକାରୀ, ଦୁର୍ନୀତି, ବିଦ୍ୟୁତ ସଙ୍କଟ, ଅଟା ଦାମ ବୃଦ୍ଧି ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କ ସ୍ବେଚ୍ଛାଚାରୀ ଓ ଦମନକାରୀ ନୀତି ପରିସ୍ଥିତିକୁ ଜଟିଳ କରୁଛି। ମିଳିତ କ୍ରିୟାନୁଷ୍ଠାନ କମିଟି (ଜେଏଏସି) ଏହି ଆନ୍ଦୋଳନକୁ ସମର୍ଥନ ଦେଉଛି। ଏବେ ଛାତ୍ରମାନେ କୌଣସି ରାଜନୈତିକ ଦଳ ବିନା ସ୍ୱାଧୀନ ଭାବେ ନେତୃତ୍ୱ ଦେଉଛନ୍ତି। ଲାହୋରରେ ପ୍ରେସ୍ କ୍ଲବ ଆଗରେ ଧାରଣା ଓ ପିଓକେରେ ପୁଲିସର ଗୁଳିଚାଳନା ଖବର ଆସିଛି। ଇଣ୍ଟରନେଟ୍ ବ୍ଲାକଆଉଟ୍ ଓ ସେନା ମୁତୟନ ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିଛି।
ନେପାଳରେ ଯୁବ ଗୋଷ୍ଠୀ ସୋସିଆଲ ମିଡିଆ କଟକଣା, ଦୁର୍ନୀତି ଓ ଶୋଷଣ ବିରୋଧରେ ବିଦ୍ରୋହ କରିଥିଲେ। ସେଠାରେ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଥିଲା ଏବଂ ଜେନ୍ ଜେଡ୍ ନୂଆ ପ୍ରଧାନମନ୍ତ୍ରୀ ଚୟନ କରିଥିଲା। ଏହି ହିଂସାରେ ସେଠାରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିଲା ଓ କେ.ପି. ଶର୍ମା ଓଲିଙ୍କ ସରକାର ପତନ ହୋଇଥିଲା। ପାକିସ୍ତାନରେ ମଧ୍ୟ ସୋସିଆଲ ମିଡିଆରେ ଜେନ୍ ଜେଡ୍ ଅଚାନକ ସରକାର ବିରୋଧୀ ହୁଙ୍କାର ଦେବା ସହ ବିଭିନ୍ନ ଫୋରମ୍ ମାଧ୍ୟମରେ ଏକଜୁଟ ହେବା ସରିଫ୍ ସରକାରର ନିଦ ହଜାଇଦେଇଛି।
ବର୍ତ୍ତମାନ ପାଇଁ ଶେହବାଜ ସରକାରର ପତନ ସମ୍ଭାବନା କମ୍ ରହିଥିଲେ ମଧ୍ୟ ଜେଡ୍ ଜେଡ୍ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଲେ ଭୟଙ୍କର ସ୍ଥିତି ଉପୁଜିବ। ଯଦି ହିଂସା ଲାହୋର କିମ୍ବା ଇସଲାମାବାଦକୁ ବ୍ୟାପିବ ତେବେ ଇମ୍ରାନ ଖାନ୍ଙ୍କ ସମର୍ଥକ ଏବଂ ତେହରିକ-ଏ-ଲବ୍ବୈକ ପାକିସ୍ତାନ (ଟିଏଲ୍ପି) ସମର୍ଥକମାନେ ଏଥିରେ ସାମିଲ ହେବେ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/07/untitled-1-2025-11-07-06-16-56.jpg)