ସାଧାରଣ ବର୍ଗଙ୍କୁ ୧୦% ସଂରକ୍ଷଣ:ଏସ୍‌ସି/ଏସ୍‌ଟି ସମ୍ପ୍ରଦାୟଙ୍କ ବିରୋଧ

O ପଦକ୍ଷେପ ସମ୍ବିଧାନ ବିରୋଧୀ O ପ୍ରକୃତ ହିତାଧିକାରୀ ପ୍ରଭାବିତ ହେବେ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ଶ୍ରେଣୀର ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଯୋଗାଇଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ‌ନେଇଥିବା ବେଳେ ଏ ନେଇ ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ ହୋଇଛି। ଏହାଦ୍ବାରା ସଂରକ୍ଷଣ ସୀମା ୬୦ ପ୍ରତିଶତକୁ ବଢ଼ିଯିବ। ଫଳରେ ଦେଶର ଅଧିକାଂଶ ଯୁବ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ମିଳିବ। ଅନ୍ୟପକ୍ଷରେ ଏହାକୁ ଏସ୍‌ସି/ଏସ୍‌ଟି ସମ୍ପ୍ରଦାୟର ସାମାଜିକ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି। ଏହି ପଦକ୍ଷେପ ସମ୍ବିଧାନ ବିରୋଧୀ ବୋଲି ସେମାନେ ଦର୍ଶାଇବା ସହ ଏସ୍‌ସି/ଏସ୍‌ଟି ଲୋକଙ୍କୁ ଅତିରିକ୍ତ ସଂରକ୍ଷଣ ପାଇଁ ଦାବି କରିଛନ୍ତି।
ସେମାନେ ଦର୍ଶାଇଛନ୍ତି ଯେ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇ ନଥିଲା। ବରଂ ସାମାଜିକ ସୁବିଧାସୁଯୋଗରୁ ବଞ୍ଚିତ ହେଉଥିବା ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ। ସରକାର ଏହାକୁ ଆର୍ଥିକ ମାନଦଣ୍ଡ ସହିତ ଯୋଡ଼ିବା ଉଚିତ ନୁ‌ହେଁ। ସେମାନଙ୍କ କହିବାନୁଯାୟୀ ଅଧିକାଂଶ ସାଧାରଣ ବର୍ଗର ଲୋକ ବିଭିନ୍ନ ସରକାରୀ କ୍ଷେତ୍ରରେ ସାମିଲ ହୋଇପାରିଛନ୍ତି। ପୁଣି ‌ସେମାନଙ୍କୁ ୧୦% ସଂରକ୍ଷଣ ଦିଆଗଲେ ପ୍ରକୃତ ହିତାଧିକାରୀମାନେ ପ୍ରଭାବିତ ହେବେ।
ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ପ୍ରଫେସର ବିବେକ କୁମାରଙ୍କ କହିବାନୁଯାୟୀ ସାମାଜିକ ନ୍ୟାୟକୁ ଯଦି ଏଭଳି ଭାବେ ନିଷ୍କ୍ରିୟ କରାଯାଏ, ତେବେ ଏସ୍‌ସି/ଏସ୍‌ଟି ସମ୍ପ୍ରଦାୟ ଏହାକୁ ସହ୍ୟ କରିବେ ନାହିଁ। ଏହାର ପ୍ରତିବାଦ କରିବେ। ଗୁଜରାଟର ସାମାଜିକ କର୍ମୀ ମଞ୍ଜୁଳା ପ୍ରଦୀପ କହିଛନ୍ତି, ସରକାର ସାଧାରଣ ବର୍ଗଙ୍କୁ ଖୁସି କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ନିହିତ ଥାଇପାରେ। ଅନ୍ୟପକ୍ଷରେ ‘ନ୍ୟାୟ ପାଇଁ ଜାତୀୟ ଦଳିତ ଆନ୍ଦୋଳନ’ର ସାଧାରଣ ସମ୍ପାଦକ ରମେଶ ନାଥନ୍‌ କହିଛନ୍ତି ଯେ ମୁସ୍‌ଲିମ୍‌ ଓ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର କିଛି ବର୍ଗର ଲୋକଙ୍କୁ ଏସ୍‌ସି/ଏସ୍‌ଟି ମାନ୍ୟତା ଦେବା ପାଇଁ ଦୀର୍ଘଦିନ ଧରି ଦାବି ହେଉଥିବା ବେଳେ ଏଥିପ୍ରତି କର୍ଣ୍ଣପାତ କରାଯାଉ ନାହିଁ। ସରକାର ସାଧାରଣ ବର୍ଗର ଲୋକଙ୍କୁ ଶାନ୍ତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର