ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ, ଡାକୁନେତା ମୈଦାନରୁ ଗାଏବ

ଭୋପାଳ: ଦିନ ଥିଲା, ମଧ୍ୟ ପ୍ରଦେଶ ରାଜନୀତିରେ ଡକାୟତମାନେ ସାମିଲ ହୋଇ ନିଜ ଦବ୍‌ଦବା ଜାହିର କରୁଥିଲେ। ବିଧାନସଭା ହେଉ କି ଲୋକସଭା ନିର୍ବାଚନ, ସେମାନେ ସବୁଥିରେ ସାମିଲ ହୋଇ ପ୍ରତିଦ୍ବନ୍ଦ୍ବିତା କରୁଥି‌ଲେ। ପ୍ରାୟ ତିନି ଦଶନ୍ଧି ଧରି ଏଭଳି ଚାଲିଆସୁଥିଲା। କିନ୍ତୁ ଏବେ ସେମାନେ ରାଜନୀତିରୁ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନଭେମ୍ବର ୨୮ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କୌଣସି ଗୋଟିଏ ଆସନରେ ମଧ୍ୟ ଏଭଳି ପ୍ରାର୍ଥୀଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦେଖିବାକୁ ମିଳିନାହିଁ। ପ୍ରଥମ ଥର ପାଇଁ ରାଜ୍ୟ ରାଜନୀତିରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ଗ୍ବାଲିୟର୍‌, ଚମ୍ବଲ୍‌ ଏବଂ ବିନ୍ଧ୍ୟ କ୍ଷେତ୍ରରେ ଦୀର୍ଘଦିନ ଧରି ଡାକୁମାନେ ରାଜନୀତି କ୍ଷେତ୍ରରେ ନିଜ ପ୍ରଭାବ ଦେଖାଇ ଆସୁଥିଲେ। କିଛି ଡକାୟତ ନିର୍ବାଚନ ଜିତି ବିଧାୟକ ହେବା ପରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଲୋକଙ୍କ ସେବା କରିଛନ୍ତି। ଏହା ସେମାନଙ୍କ ପାଇଁ ଏକ ସୁଯୋଗ ଭଳି ରହିଆସିଥିଲା। ଏଭଳି ପରିପ୍ରେକ୍ଷୀରେ ୨୦୧୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପୂର୍ବ ଡକାୟତ ପ୍ରେମ୍‌ ସିଂହ କଂଗ୍ରେସ ଟିକଟ ପାଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ମଧ୍ୟ ପ୍ରଦେଶର ସତ୍‌ନା ଜିଲ୍ଲା ଅନ୍ତର୍ଗତ ଚିତ୍ରକୂଟ ଆସନରେ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଗହରୱାର୍‌ଙ୍କୁ ୧୦,୯୭୦ ଭୋଟ୍‌ରେ ହରାଇଥିଲେ। ଦସ୍ୟୁ ଜୀବନରୁ ରାଜନୀତିକୁ ଆସିଥିବା ପ୍ରେମ୍‌ ସିଂହ ଲଗାତର ୩ ଥର ସେହି ଆସନରେ ବିଧାୟକ ରହିଥିଲେ। ଏହା ପୂର୍ବରୁ ୧୯୯୮ ଓ ୨୦୦୩ରେ ମଧ୍ୟ ସେ କଂଗ୍ରେସ ଟିକଟରେ ନିର୍ବାଚନ ଜିତିଥିଲେ। ଗତବର୍ଷ ମେ ମାସରେ ତାଙ୍କର ଦେହାନ୍ତ ହୋଇଥିଲା। ସତ୍‌ନାର ସାମ୍ବାଦିକ ରାଜେଶ୍ ଦ୍ବିବେଦୀଙ୍କ କହିବାନୁସାରେ ପ୍ରେମ୍‌ ସିଂହଙ୍କ ମୃତ୍ୟୁ ପରେ ମଧ୍ୟ ପ୍ରଦେଶ ରାଜନୀତିରେ ଡକାୟତ ଦଳର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ଏବେ ରାଜ୍ୟର ବିନ୍ଧ୍ୟ କ୍ଷେତ୍ରର ବିହଡ଼ରେ ଦୁଇଟି ଡକାୟତ ଦଳ ସକ୍ରିୟ ରହିଥିବା ସତ୍ତ୍ବେ ରାଜନୀତିରେ ଏମାନଙ୍କ ଉପସ୍ଥିତି ନାହିଁ କହିଲେ ଚଳେ। ତାଙ୍କ କହିବାନୁଯାୟୀ ପ୍ରେମ୍‌ ସିଂହଙ୍କ ପୂର୍ବରୁ ଭୟାନକ ଡକାୟତ ଶିବକୁମାର ପଟେଲ୍‌ ଓରଫ ଦଦୁଆ ଚିତ୍ରକୂଟ ଏବଂ ବିନ୍ଧ୍ୟ କ୍ଷେତ୍ରରେ ନିର୍ବାଚନରେ ନିଜ ଦବ୍‌ଦବା ଦେଖାଇଥିଲେ। ନିର୍ବାଚନରେ ତାଙ୍କ ପ୍ରଭାବ ସ୍ପଷ୍ଟ ଦିଶୁଥିଲା। ତାଙ୍କ ଭଳି ଅମ୍ବିକା ପଟେଲ୍‌ ମଧ୍ୟ ନିର୍ବାଚନକୁ ପ୍ରଭାବିତ କରିପାରୁଥିଲେ। ଦଦୁଆଙ୍କ ସାନଭାଇ ବାଲକୁମାର ପଟେଲ୍‌ ୟୁପିର ମିର୍ଜାପୁର ଆସନରେ ସମାଜବାଦୀ ପାର୍ଟି ଟିକଟରୁ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସାଂସଦ ରହିଥିଲେ।

ସମ୍ବନ୍ଧିତ ଖବର