ନୂଆଦିଲ୍ଲୀ: ଭୂ ରାଜନୈତିକ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଆଫ୍ଗାନିସ୍ତାନର ତାଲିବାନ ସରକାରଙ୍କ କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ଅମିର ଖାନ୍ ମୁତ୍ତାକିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଭାରତ ଦ୍ବାରା ଆଫଗାନିସ୍ତାନର ତାଲିବାନ ପ୍ରଶାସନ ସହ ଏହା ପ୍ରଥମ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ହୋଇଥିବାରୁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ। ଆଫ୍ଗାନ ବିଦେଶ ମନ୍ତ୍ରୀଙ୍କ ସହ କଥା ହେବାପରେ ଜୟଶଙ୍କର ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ଆଫଗାନିସ୍ତାନର କାର୍ଯ୍ୟକାରୀ ବିଦେଶ ମନ୍ତ୍ରୀ ମଲୱି ଅମିର ଖାନ୍ ମୁତ୍ତାକିଙ୍କ ସହ ବହୁତ ଭଲ କଥାବାର୍ତ୍ତା ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ତାଲିବାନ ବିଦେଶ ମନ୍ତ୍ରୀ ଦୃଢ଼ ନିନ୍ଦା କରିବାଥିବାରୁ ଆମେ ପ୍ରଶଂସା କରୁଛୁ।
ଜୟଶଙ୍କର କହିଛନ୍ତି, କଥାବାର୍ତ୍ତା ସମୟରେ ଆଫ୍ଗାନ ଲୋକଙ୍କ ସହ ଭାରତର ପାରମ୍ପରିକ ବନ୍ଧୁତା ଏବଂ ସେମାନଙ୍କ ବିକାଶ ଆବଶ୍ୟତକା ପାଇଁ ସହଯୋଗ ଜାରି ରହିବ ବୋଲି କୁହାଯାଇଛି। ଜମ୍ମୁ କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ତାଲିବାନର ସମ୍ପୃକ୍ତି ଅଛି ବୋଲି ପାକିସ୍ତାନ ମିଥ୍ୟା ଦାବି କରିବାପରେ ଭାରତ ଏହାକୁ ଖଣ୍ଡନ କରିଛି। ପାକିସ୍ତାନ ଦ୍ବାରା ମିଥ୍ୟା ଏବଂ ଭିତ୍ତିହୀନ ରିପୋର୍ଟ ଦ୍ବାରା ଭାରତ-ଆଫଗାନିସ୍ତାନ ମଧ୍ୟରେ ଅବିଶ୍ବାସ ସୃଷ୍ଟି କରିବାପାଇଁ ହୋଇଥିବା ଉଦ୍ୟମକୁ ଆମେ ଟାଳି ଦେଇଛୁ ବୋଲି ଜୟଶଙ୍କର କହିଛନ୍ତି। ଅନ୍ୟପକ୍ଷେ ତାଲିବାନର ଯୋଗାଯୋଗ ନିର୍ଦ୍ଦେଶକ ହାଫିଜ ଜିଆ ଅହମଦ କହିଛନ୍ତି, କଥାବର୍ତ୍ତା ସମୟରେ ଆଫଗାନ୍ ନାଗରିକଙ୍କୁ ଅଧିକ ଭିସା ପ୍ରଦାନ କରିବାକୁ କୁହାଯାଇଥିଲା। ଦ୍ବିପାକ୍ଷିକ ବାଣିଜ୍ୟ, ଭାରତୀୟ ଜେଲ୍ରେ ବନ୍ଦୀ ଥିବା ଆଫଗାନ୍ କଏଦୀଙ୍କ ମୁକ୍ତି ଏବଂ ଫେରାଇବା, ଇରାନରେ ଚବାହାର ବନ୍ଦର ବିକାଶ ଉପରେ ଆଲୋଚନା ହୋଇଥିବା ସେ କହିଛନ୍ତି।