ୱାସିଂଟନ: ସାରା ବିଶ୍ୱରେ ବିଭିନ୍ନ ସରକାର ଓ ଅନୁଷ୍ଠାନଗୁଡ଼ିକୁ ଦୋହଲାଇ ଦେବାକୁ ପ୍ରୟାସ କରୁଥିବା ବିଲିୟନେୟାର ଜର୍ଜ ସୋରୋସ୍ଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍ ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବିଦାୟୀ ରାଷ୍ଟ୍ରପତି ବାଇଡେନ୍ଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଥିବାରୁ ଏହା ଡେମୋକ୍ରାଟିକ୍ ପାର୍ଟିର ଅଡ଼ୁଆ ମଧ୍ୟ ବଢ଼ାଇଛି। ଅନ୍ୟପକ୍ଷରେ ଭାରତ ବିରୋଧୀ ସୋରୋସ୍ଙ୍କ ‘ଅପକର୍ମ’କୁ ନେଇ ଆମେରିକାର ଅନ୍ୟତମ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତି ଏଲନ୍ ମସ୍କ କଡ଼ା ପ୍ରହାର କରିଛନ୍ତି। ବାଇଡେନ୍ଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ମସ୍କ କହିଛନ୍ତି, ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପ୍ରେସିଡେନ୍ସିଆଲ୍ ମେଡାଲ ଅଫ୍ ଫ୍ରିଡମ୍’ ସୋରୋସ୍ଙ୍କୁ ପ୍ରଦାନ କରାଯିବା ଆମ ଗୌରବକୁ ହ୍ରାସ କରୁଛି। ଜର୍ଜ ସୋରୋସ୍ ମାନବିକତାର ବିରୋଧୀ ଏବଂ ସେ ପୂରା ବିଶ୍ବରେ ଅସ୍ଥିରତା ଚାହୁଛନ୍ତି ବୋଲି ମସ୍କ ମତ ରଖିଛନ୍ତି।
ମାନବିକତାକୁ ଘୃଣା କରୁଥିବା ବ୍ୟକ୍ତି ହେଉଛନ୍ତି ସୋରୋସ୍: ମସ୍କ
ବିବାଦୀୟ ନିବେଶକ ଜର୍ଜ ସୋରୋସ୍ କେତେକ ଏନ୍ଜିଓ ମାଧ୍ୟମରେ ଆଧିପତ୍ୟ ଜାହିର କରିବା ସହ ବିଶ୍ୱର ବିଭିନ୍ନ ଦେଶର ସରକାରରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଏବଂ ତାଙ୍କର ଭୂମିକା ସର୍ବଦା ନକାରାତ୍ମକ। ସେ ଅନେକ ଦେଶର ସରକାର ଭାଙ୍ଗିବା ସହ ଅନେକ ବ୍ୟାଙ୍କକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଭାରତ ବିଷୟରେ ଅନେକ ସମୟରେ ବିଭାଜନକାରୀ ଓ ପକ୍ଷପାତପୂର୍ଣ୍ଣ ମନ୍ତବ୍ୟ ଦେଉଥିବା ସୋରୋସ୍ଙ୍କୁ କିଛି ମାସ ତଳେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କଡ଼ା ସମାଲୋଚନା କରିଥିଲେ।
୨୦୨୩ରେ ଜର୍ଜ ସୋରୋସ୍ ମ୍ୟୁନିକ୍ ପ୍ରତିରକ୍ଷା ସମ୍ମିଳନୀରେ କହିଥିଲେ ଯେ ଭାରତ ଏକ ଗଣତାନ୍ତ୍ରିକ ଦେଶ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣତାନ୍ତ୍ରିକ ନୁହଁନ୍ତି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ଗ୍ରହଣ କରିବା ପାଇଁ ୯୪ ବର୍ଷୀୟ ଜର୍ଜ ସୋରୋଙ୍କ ପକ୍ଷରୁ ତାଙ୍କ ପୁଅ ଆଲେକ୍ସ ସୋରୋସ୍ ଉପସ୍ଥିତ ଥିଲେ। ବାଇଡେନ୍ ସୋରୋସ୍ଙ୍କୁ ‘ମେଡାଲ୍ ଅଫ୍ ଫ୍ରିଡମ୍’ ଦେବା ହାସ୍ୟାସ୍ପଦ ବୋଲି ଏଲନ୍ ମସ୍କ ପୋଷ୍ଟ୍ କରିବା ପରେ ବିଭିନ୍ନ ମହଲ ସୋରୋସ୍ ଓ ବାଇଡେନ୍ଙ୍କୁ ନିଶାଣ କରିଛନ୍ତି। ରିପବ୍ଲିକାନ ନେତ୍ରୀ ନିକି ହାଲି କହିଛନ୍ତି ଯେ ସୋରୋସ୍ଙ୍କୁ ଏଭଳି ସମ୍ମାନ ଆମେରିକା ମୁହଁରେ ଆଉ ଏକ ଚାପୁଡ଼ା। ସୂଚନାଯୋଗ୍ୟ, ସୋରୋସ୍ଙ୍କ ସମେତ ବାଇଡେନ ୧୯ ଜଣଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ବିଦେଶ ସଚିବ ହିଲାରି କ୍ଲିଣ୍ଟନ ମଧ୍ୟ ଅଛନ୍ତି।