ଅମର୍ତ୍ୟ ସେନ୍‌ଙ୍କୁ ଜର୍ମାନ ଶାନ୍ତି ପୁରସ୍କାର

କୋଲକାତା: ପ୍ରଖ୍ୟାତ ଭାରତୀୟ ଅର୍ଥଶାସ୍ତ୍ରୀ, ଦାର୍ଶନିକ ଏବଂ ନୋବେଲ ବିଜେତା ଅମର୍ତ୍ୟ ସେନ୍‌ଙ୍କୁ ୨୦୨୦ ମସିହା ପାଇଁ ଜର୍ମାନର ସମ୍ମାନଜନକ ଶାନ୍ତି ପୁରସ୍କାର ମିଳିବ। ଜର୍ମାନର ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଗଠନ ପକ୍ଷରୁ ଏହି ସୂଚନା ମିଳିଛି। ବୋର୍ଡ ପକ୍ଷରୁ କୁହାଯାଇଛି, ସାମାଜିକ ନ୍ୟାୟ ପାଇଁ ଦୀର୍ଘ ବର୍ଷ ଧରି କାମ କରିଥିବାରୁ ୨୦୨୦ ମସିହା ପାଇଁ ଏହି ଶାନ୍ତି ପୁରସ୍କାର ସେନ୍‌ଙ୍କୁ ଦିଆଯିବ। ଆମେରିକାର ହାଭାର୍ଡ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଥିବା ପ୍ରଫେସର ଅମର୍ତ୍ୟ ସେନ୍‌ଙ୍କୁ ୧୯୯୮ ମସିହାରେ ‌‘ନୋବେଲ ପୁରସ୍କାର’ ମିଳିଥିଲା। ୧୯୩୩ ମସିହା ନଭେମ୍ବର ମାସ ୩ ତାରିଖରେ ପଶ୍ଚିମବଙ୍ଗର ଶାନ୍ତିନିକେତନରେ ସେନ୍‌ଙ୍କ ଜନ୍ମ ହୋଇଥିଲା। ୧୯୪୦ ଦଶକରେ ଚାଲିଥିବା ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ପିଲାଦିନ କଟିଥିଲା। ୧୯୪୩ରେ ବଙ୍ଗଳାରେ ଦୁର୍ଭିକ୍ଷ ଏବଂ ୧୯୪୭ରେ ଭାରତ ସ୍ବାଧୀନତା ଆନ୍ଦୋଳନବେଳେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଓ ଦଙ୍ଗାର ମୂକସାକ୍ଷୀ ଥିବା ସେନ୍‌ ୧୯୫୯ରେ କୋଲକାତା ପ୍ରେସିଡେନ୍ସି କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୨୦୦୪ରୁ ସେ ଆମେରିକାର ହାଭାର୍ଡ ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ଦର୍ଶନ ବିଭାଗରେ ଶିକ୍ଷାଦାନ କରୁଛନ୍ତି। ୧୯୫୦ ମସିହାରୁ ପ୍ରତିବର୍ଷ ସାହିତ୍ୟ, ବିଜ୍ଞାନ ଏବଂ କଳା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ଜର୍ମାନ୍‌ ବୁକ୍‌ ଟ୍ରେଡ୍‌ ପକ୍ଷରୁ ଶାନ୍ତି ପୁରସ୍କାର ଦିଆଯାଇ ଆସୁଛି। ଆଗାମୀ ଅକ୍ଟୋବର ମାସ ୧୮ ତାରିଖରେ ଫ୍ରାଙ୍କଫୋର୍ଟ ବୁକ୍‌ ଫେୟାର ଉଦ୍‌ଯାପନୀ ସମାରୋହରେ ଏହି ପୁରସ୍କାର ଅମର୍ତ୍ୟଙ୍କୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର