ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ଜର୍ମାନି କରିଥିବା ଯୋଜନାର ଅଂଶ ଭାବେ ଭାରତ ମହାସାଗରରେ ଏକ ଜର୍ମାନି ଯୁଦ୍ଧପୋତ ପାଟ୍ରୋଲିଙ୍ଗ୍ କରିବ ବୋଲି, ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ଆନିଗ୍ରେଟ୍ କ୍ରାମ୍ପ୍-କାରେନ୍ବାୱାର୍ କହିଛନ୍ତି।
‘ସିଡ୍ନି ମର୍ଣ୍ଣିଂ ହେରାଲ୍ଡ୍’ ସହ ସାକ୍ଷାତ୍କାରରେ ସେ କହିଛନ୍ତି, ଆସନ୍ତା ବର୍ଷରୁ ଏହି ଯୁଦ୍ଧପୋତ ମୁତୟନ କରାଯିବ ବୋଲି ଆଶା କରାଯାଉଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଜର୍ମାନି ନୌସେନାର ଉପସ୍ଥିତି ଆନ୍ତର୍ଜାତିକ ସମ୍ପର୍କ ସୁରକ୍ଷିତ ରଖିବାରେ ସହାୟକ ହେବ। ସେ ଅଞ୍ଚଳରେ ଜର୍ମାନିର ଉପସ୍ଥିତି ଆବଶ୍ୟକ ବୋଲି ଆମେ ଚିନ୍ତା କରୁଛୁ।
ଆସନ୍ତାବର୍ଷ ଆମେ ସେଠାରେ ଯୁଦ୍ଧପୋତ ମୁତୟନ କରିବାରେ ସମର୍ଥ ହେବୁ। କୋଭିଡ୍-୧୯ ମହାମାରୀ ଆମ ବଜେଟ୍କୁ ପ୍ରଭାବିତ କରିଥିଲେ ସୁଦ୍ଧା ୨୦୨୦ ଠାରୁ ୨୦୨୧ରେ ଆମେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିବୁ।
/sambad/media/post_attachments/wp-content/uploads/2020/11/navy.jpg)
କିନ୍ତୁ, ନିଜର ବୋଲି ଚୀନ୍ ଦାବି କରୁଥିବା ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଜର୍ମାନିର ଏହି ଯୁଦ୍ଧପୋତ ଅବାଧ ନୌସମରାଭ୍ୟାସ କରାଇବ କି ନାହିଁ, ସେ ବିଷୟରେ କ୍ରାମ୍ପ୍-କାରେନ୍ବାୱାର୍ ନିର୍ଦ୍ଦିଷ୍ଟ କୌଣସି ମନ୍ତବ୍ୟ ଦେଇନାହାନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ବର ନିରାପତ୍ତା ନିମନ୍ତେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସେଠାରେ ଚୀନ୍ର କେତେକ କାର୍ଯ୍ୟକଳାପକୁ ଜର୍ମାନି ଉପେକ୍ଷା କରିପାରିବ ନାହିଁ।
ଜର୍ମାନିର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ବୈଶ୍ବିକ ଯୋଗାଣ ଶୃଙ୍ଖଳରେ ୟୁରୋପ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅର୍ଥନୀତି ନିବିଡ଼ଭାବେ ସଂଯୁକ୍ତ ହୋଇଥିବାରୁ ଭାରତ ମହାସାଗର, ଦକ୍ଷିଣ ଚୀନ୍ ସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟ ଦେଇ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ ପଥ ପରିଚାଳିତ ହେଉଛି। ସେ ଅଞ୍ଚଳରେ ଉପୁଜୁଥିବା ବିବାଦ ଯଦି ସେଠାକାର ନିରାପତ୍ତା ଓ ସ୍ଥିରତା ଉପରେ ପ୍ରତିକୂଳ ପ୍ରଭାବ ପକାଏ, ଜର୍ମାନି ମଧ୍ୟ ପ୍ରଭାବିତ ହେବ।