ରୁଷ୍ ଉପରେ କଟକଣା: ବ୍ୟାଙ୍କଗୁଡ଼ିକୁ ଟାର୍ଗେଟ୍, ଜର୍ମାନୀ ଅଟକାଇଲା ଗ୍ୟାସ୍ ପାଇପଲାଇନ୍

ଲଣ୍ଡନ: ପୂର୍ବ ୟୁକ୍ରେନ୍‌ର ଦୁଇଟି ପ୍ରମୁଖ ଅଂଚଳ ଡୋନେସ୍କ ଏବଂ ଲୋଙ୍ଗୁସ୍କକୁ ସ୍ବାଧୀନ ଘୋଷଣା ପରେ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ରୁଷ୍‌ ବିରୋଧରେ ଏକଜୁଟ ହେଉଛନ୍ତି ଏବଂ ବିଭିନ୍ନ କଟକଣା ଲଗାଇବା ଆରମ୍ଭ କରିଛି। ଆଜି ବ୍ରିଟେନ୍‌ ବିଭିନ୍ନ ରୁଷୀୟ ବ୍ୟାଙ୍କ୍‌ଗୁଡ଼ିକ ଉପରେ କଟକଣା ଲଗାଇଥିବା ବେଳେ ଆଇଟି, ଫାର୍ମାସ୍ୟୁଟିକାଲ ଓ ଅନ୍ୟ କ୍ଷେତ୍ରରେ କଟକଣା ପାଇଁ ପ୍ରସ୍ତୁତ ହେଉଛି। ଇତିମଧ୍ୟରେ ଜର୍ମାନୀ ରୁଷ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଗ୍ୟାସ୍‌ ପାଇପ୍‌ଲାଇନ୍‌ ପ୍ରକଳ୍ପ ‘ନୋର୍ଡ ଷ୍ଟ୍ରିମ୍‌-୨’ କାମକୁ ଅଟକାଇ ଦେଇଛି। ବ୍ରିଟେନ୍‌ ଆଜି ରୁଷ୍‌ ରାଷ୍ଟ୍ରଦୂତଙ୍କୁ ସମନ କରି ୟୁକ୍ରେନ୍‌ ମାମଲା ନେଇ ବର୍ଷିଛି। ୟୁରୋପୀୟ ସଂଘ ମଧ୍ୟ ରୁଷ୍‌ର ସମସ୍ତ ପ୍ରମୁଖ ବ୍ୟାଙ୍କ୍‌ କାରବାରକୁ ଠପ୍‌ କରିଦେବା ପାଇଁ ନିଷ୍ପତ୍ତି ନେଇଛି। ଏ ବାବଦରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଏହାକୁ ୨୭ଟି ରାଷ୍ଟ୍ର ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ଜଣାପଡ଼ିଛି। ତେବେ ୟୁରୋପୀୟ ରାଷ୍ଟ୍ର ସଂଘ ଏବଂ ଆମେରିକାର ଯେ କୌଣସି କଟକଣାକୁ ପ୍ରତିହତ କରିବା ପାଇଁ ପୁଟିନ୍‌ଙ୍କର ବିଶାଳ ଯୋଜନା ରହିଛି ବୋଲି ମଧ୍ୟ କୂଟନୀତି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର