କରୋନା ଟୀକା ନେଇ ଆମେରିକା ଜର୍ମାନି ବିବାଦ

ବର୍ଲିନ : କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ବଢିଚାଲିଛି । ଏ ପରିସ୍ଥିତିରେ ଏହି ଭୁତାଣୁର ଟୀକାକୁ ସମଗ୍ର ବିଶ୍ୱବାସୀ ଆତୁର ହୋଇ ଅପେକ୍ଷା କରିଛନ୍ତି । ଆମେରିକା ଏହି ଭୁତାଣୁର ଟୀକା ବାହାର କରିବା ଦିଗରେ ଅଗ୍ରଗତି କରିଥିବା ଦାବି କରିଥିବାବେଳେ ତାହାକୁ ନେଇ ବିବାଦ ଦେଖାଦେଇଛି । ଆମେରିକା ଏକ ଜର୍ମାନ କମ୍ପାନି ଦ୍ୱାରା କରାଯାଇଥିବା ଗବେଷଣାର ସଂପୂର୍ଣ୍ଣ ସ୍ୱତ୍ତ୍ୱ କିଣିବାକୁ ପ୍ରସ୍ତାବ ଦେଇଥିବାବେଳେ ତାହାକୁ ଜର୍ମାନ ସରକାର ବିରୋଧ କରିଛନ୍ତି । ଜର୍ମାନୀର ଅର୍ଥମନ୍ତ୍ରୀ ପିଟର ଅଲମାଇଟର କହିଛନ୍ତି ଯେ ତାଙ୍କ ଦେଶ ବିକ୍ରୟ ପାଇଁ ଉପଲବ୍ଧ ନାହିଁ ।

ମିଳିଥିବା ସୂଚନା ଅନୁସାରେ ଜର୍ମାନ କମ୍ପାନି କ୍ୟୋରଭାକ୍‌ ପକ୍ଷରୁ ଏହି ଟୀକା ବିକଶିତ କରିବା ଦିଗରେ ଯଥେଷ୍ଟ ଅଗ୍ରଗତି କରାଯାଇଛି । କିନ୍ତୁ ଆମେରିକା ଏହି କମ୍ପାନିଠାରୁ ଏହି ଜ୍ଞାନକୌଶଳକୁ କିଣିବାକୁ ଚାହୁଁଛି । ହଜାର ହଜାର କୋଟି ଡଲାର ବିନିମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହାକୁ କିଣିବାକୁ ଚାହୁଁଛନ୍ତି ବୋଲି ଜଣାଯାଇଛି ।

ଏହି ଖବର ଜଣାପଡ଼ିବା ପରେ ଜର୍ମାନୀରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି । ସମଗ୍ର ବିଶ୍ୱ ପାଇଁ ଏହି ଟୀକାର ଆବଶ୍ୟକତା ରହିଥିବାବେଳେ ଆମେରିକା ଏହି ଜ୍ଞାନକୌଶଳର ଏକାଧିକାର ସ୍ୱତ୍ତ୍ୱ ହାସଲ କରିବାକୁ ଚାହୁଁଛି । ଏହା ମାନବତା ବିରୋଧୀ ବୋଲି କହିଛନ୍ତି ଜର୍ମାନିର ଫ୍ରିଡମ ଡେମୋକ୍ରାଟିକ ପାର୍ଟି ନେତା ଖ୍ରୀଷ୍ଟିଆନ ଲିଣ୍ଡନର ।

ସମ୍ବନ୍ଧିତ ଖବର