ଜର୍ମାନି ଏବେ ବି ଅଧିକୃତ ହୋଇ ରହିଛି; ପୂର୍ଣ୍ଣ ସାର୍ବଭୌମ ନୁହେଁ: ଭ୍ଲାଦିମିର୍‌ ପୁଟିନ୍‌

ମସ୍କୋ: ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଆତ୍ମସମର୍ପଣ କରିବାର କେତେ ଦଶନ୍ଧି ବିତି ଯାଇଥିଲେ ବି ଜର୍ମାନି ଏବେ ମଧ୍ୟ ଅଧିକୃତ ହୋଇ ରହିଛି ଏବଂ ସ୍ବାଧୀନ ଭାବେ କାର୍ଯ୍ୟ କରିପାରୁ ନାହିଁ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି।

ଉତ୍ତର ସାଗର ‘ପାଇପ୍‌ଲାଇନ୍‌’ ବିସ୍ଫୋରଣ ଘଟଣାରେ ଜର୍ମାନିର ପ୍ରତିକ୍ରିୟାରୁ ଏ କଥା ଜଣାପଡୁଛି ବୋଲି ରୁଷୀୟ ଟେଲିଭିଜନ୍‌ ‘ରୋଷିୟା-୧’ ଚାନେଲ୍‌ ସହିତ କରିଥିବା ସାକ୍ଷାତ୍‌କାର ସମୟରେ ପୁଟିନ୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭର୍ତ୍ସନା ଶୁଣି ଶୁଣି ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ୟୁରୋପୀୟ ନେତାମାନେ ସେମାନଙ୍କର ସାର୍ବଭୌମତ୍ବ ଓ ସ୍ବାଧୀନତା ଚେତନା ହରାଇ ବସିଛନ୍ତି।

ଗତବର୍ଷ ଘଟିଥିବା ବିସ୍ଫୋରଣ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ରୁଷ୍‌ର ‘ନର୍ଡ ଷ୍ଟ୍ରିମ୍‌ ଗ୍ୟାସ୍‌ ପାଇପ୍‌ଲାଇନ୍‌ସ୍‌’ ସଂକ୍ରାନ୍ତ ତଦନ୍ତ ମାମଲାରେ ଜର୍ମାନି ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ପ୍ରତିକ୍ରିୟା ବ୍ୟକ୍ତ କରିବାରେ ଖୁବ୍‌ ସତର୍କତା ଅବଲମ୍ବନ କରି କହିଲେ କି, ଜାଣିଶୁଣି ଏ କାଣ୍ଡ କରାଯାଇଛି। କିନ୍ତୁ, କିଏ ଏ କାଣ୍ଡ କରିଛି ତାହା କହିବାକୁ ସେମାନେ କୁଣ୍ଠାବୋଧ କଲେ ବୋଲି ପୁଟିନ୍‌ କହିଛନ୍ତି।

Image Courtesy of Radio Free Europe

ସେ ପୁଣି ମଧ୍ୟ କହିଛନ୍ତି, ପ୍ରକୃତ କଥା ହେଲା, ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜର୍ମାନି ସମ୍ପୂର୍ଣ୍ଣ ସାର୍ବଭୌମ ରାଷ୍ଟ୍ର ମାନ୍ୟତା ପାଇ ନାହିଁ ବୋଲି ନିଜେ ୟୁରୋପୀୟ ରାଜନେତାମାନେ ସର୍ବସାଧାରଣରେ କହିଥିଲେ। ସେ ସମୟରେ ସୋଭିଏତ୍‌ ଦେଶ ସୈନ୍ୟ ପ୍ରତ୍ୟାହାର କରି ଅଧିକୃତ ଜର୍ମାନି  ଅଞ୍ଚଳକୁ ମୁକ୍ତ କରି ଦେଇଥିଲା। କିନ୍ତୁ, ଆମେରିକା ସେପରି କରି ନ ଥିଲା ବୋଲି ସମସ୍ତେ ଜାଣନ୍ତି। ସେମାନେ ଜର୍ମାନି ଅଧିକାର କରି ରହିଲେ।

ୟୁକ୍ରେନ୍‌ ପ୍ରତି ସମର୍ଥନ ଥିବା ଏକ ସ୍ବୟଂକ୍ରିୟ ସଙ୍ଗଠନ ଉକ୍ତ ପାଇପ୍‌ଲାଇନ୍‌ ବିସ୍ଫୋରଣ ପାଇଁ ଦାୟୀ ବୋଲି ଯାହା କୁହାଯାଉଛି, ତାହାକୁ ପୁଟିନ୍‌ ଖଣ୍ଡନ କରିଛନ୍ତି। ବର୍ଷକ ତଳେ ମସ୍କୋ ୟୁକ୍ରେନ୍‌ ଆକ୍ରମଣ କରିବା ପରଠାରୁ ବର୍ଲିନ୍‌ ରୁଷୀୟ ‘ହଇଡ୍ରୋକାର୍ବନ୍‌’ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ପଦକ୍ଷେପ ଗ୍ରହଣ କରିଥିଲେ ସୁଦ୍ଧା ଜର୍ମାନିକୁ ରୁଷୀୟ ଗ୍ୟାସ୍‌ ନେବା ଥିଲା ଉକ୍ତ ପାଇପ୍‌ଲାଇନ୍‌ ଲଗାଯିବାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର