ଆମେରିକା ପରେ ଜର୍ମାନୀର ବିବାଦୀୟ ମନ୍ତବ୍ୟ: ବିଦେଶୀ ହସ୍ତକ୍ଷେପ ନେଇ ବିଜେପି-କଂଗ୍ରେସ ମହାଁମୁହିଁ

ନୂଆଦିଲ୍ଲୀ: ଲୋକସଭା ସଦସ୍ୟତାରୁ ରାହୁଲ ଗାନ୍ଧିଙ୍କ ଅଯୋଗ୍ୟ ଘୋଷଣାକୁ ନେଇ ଜର୍ମାନୀ ବିଦେଶ ମନ୍ତ୍ରଣାଳୟର ମନ୍ତବ୍ୟ ପରେ ଭାରତରେ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ଏ କ୍ଷେତ୍ରରେ ବିଚାରବିଭାଗୀୟ ସ୍ବାଧୀନତା ଓ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ ହେବା ଉଚିତ ବୋଲି ଜର୍ମାନୀ କହିଥିଲା। ଏହାପରେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଟ୍ବିଟ୍ କରି ଜର୍ମାନୀକୁ ଧନ୍ୟବାଦ ଦେବା ସହ କହିଥିଲେ ଯେ, ଭାରତରେ ଗଣତନ୍ତ୍ରକୁ ଦଳିମକଚି ଦିଆଯାଉଥିବା କଥା ଜର୍ମାନୀ ଠିକ୍ ବୁଝିପାରିଛି। ରାହୁଲ ଗାନ୍ଧିଙ୍କୁ କାଠଗଡ଼ାକୁ ଟାଣି ତାଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବା ଏହାର ଉଜ୍ଜ୍ବଳ ଦୃଷ୍ଟାନ୍ତ।

ଦିଗ୍‌ବିଜୟଙ୍କ ଟ୍ବିଟ୍‌ର ପ୍ରତିକ୍ରିୟାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ଶକ୍ତିଙ୍କୁ ମୁଣ୍ଡ ପୂରାଇବା ପାଇଁ ରାହୁଲ ଗାନ୍ଧି ଆମନ୍ତ୍ରଣ କରିଥିବାରୁ ତାଙ୍କୁ ସମାଲୋଚନା କରିଛନ୍ତି। ରିଜିଜୁ ଲେଖିଛନ୍ତି, ସ୍ମରଣ ରଖ, ଭାରତୀୟ ବିଚାର ବିଭାଗ ବିଦେଶର ହସ୍ତକ୍ଷେପ ଦ୍ବାରା ପ୍ରଭାବିତ ହେବ ନାହିଁ। ବିଦେଶୀ ହସ୍ତକ୍ଷେପକୁ ଭାରତ ଆଉ ସହ୍ୟ କରିବ ନାହିଁ। କାରଣ ଏବେ ଆଉ କେହି ନୁହେଁ, ନରେନ୍ଦ୍ର ମୋଦୀଜୀ ପ୍ରଧାନମନ୍ତ୍ରୀ ଅଛନ୍ତି। କଂଗ୍ରେସର ମିଡ଼ିଆ ଓ ପ୍ରଚାର ବିଭାଗ ମୁଖ୍ୟ ପବନ ଖେରା ରିଜିଜୁଙ୍କ ଟ୍ବିଟ୍‌ର ଜବାବ ଦେଇ କହିଛନ୍ତି, ଲୋକଙ୍କୁ ବିଭ୍ରାନ୍ତ କରିବା ବଦଳରେ ଆଦାନି ପ୍ରସଙ୍ଗରେ ରାହୁଲ ଗାନ୍ଧି ଯେଉଁ ପ୍ରଶ୍ନ ପଚାରିଛନ୍ତି, ତା’ର ଉତ୍ତର ଦିଅ। ତେବେ ସୋସିଆଲ ମିଡିଆରେ ଦିଗ୍‌ବିଜୟଙ୍କ ଟ୍ବିଟ୍‌ ଭାଇରାଲ ହେବାପରେ ସେ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। କଂଗ୍ରେସ ପ୍ରତି ସମାଲୋଚନାର ସୁଅ ଛୁଟିବା ପରେ ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଭାରତର ରାଜନୈତିକ ବିବାଦର ସମାଧାନ ଭାରତରେ ହିଁ ହେବ ଏବଂ ଏଥିରେ ବିଦେଶୀ ଶକ୍ତିର ହସ୍ତକ୍ଷେପ ଆବଶ୍ୟକ ନାହିଁ।

ବୁଧବାର ଜର୍ମାନୀ କହିଥିଲା, ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧିଙ୍କ ଅଯୋଗ୍ୟତା ପ୍ରସଙ୍ଗରେ ବିଚାରବିଭାଗୀୟ ସ୍ବାଧୀନତା ତଥା ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଅକ୍ଷୁଣ୍ଣ ରହିବା ଉଚିତ। ଆମ ଜାଣିବାରେ ରାହୁଲ ଗାନ୍ଧି ତଳ କୋର୍ଟଙ୍କ ରାୟ ବିରୋଧରେ ଅପିଲ କରିପାରିବେ। ତା’ପରେ ଜଣାପଡ଼ିବ ଏହି ରାୟ ବଳବତ୍ତର ରହୁଛି ନା ଉପର କୋର୍ଟ ଦ୍ବାରା ନାକଚ ହୋଇଯାଉଛି। ଉପର କୋର୍ଟ ଯଦି ଉକ୍ତ ରାୟକୁ ରଦ୍ଦ କରିଦିଅନ୍ତି ତେବେ ରାହୁଲ ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା କରିବାର ବି ଆଉ କୌଣସି ଭିତ୍ତି ରହିବ ନାହିଁ। ଆମେ ଆଶା କରୁଛୁ ରାହୁଲ-ବିରୋଧୀ ବିଚାରଣା କ୍ଷେତ୍ରରେ ବିଚାରବିଭାଗୀୟ ନିରପେକ୍ଷତା ଓ ମୌଳିକ ଗଣତାନ୍ତ୍ରିକ ନୀତି ଅକ୍ଷୁଣ୍ଣ ରହିବ।

ସମ୍ବନ୍ଧିତ ଖବର