ଘାତକ ସାଜିଛି ପିୟୁବିଜି

ସ୍ମାର୍ଟଫୋନ୍‌ ନମିଳିବାରୁ ଆତ୍ମହତ୍ୟା କଲେ ନାବାଳକ

ମୁମ୍ବାଇ: ମୁମ୍ବାଇରେ ଏବେ ପିୟୁବିଜି ‌ ଅନଲାଇନ୍‌ ଗେମ୍‌ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଗେମ୍‌ ପାଇଁ ଆଜି ମୁମ୍ବାଇର ଜଣେ ନାବାଳକ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଅନ୍‌ଲାଇନ୍‌ ଗେମ୍‌ ନିଶା ପାଲଟି ଯାଇଥିବା ବେଳେ ଅନେକ କ୍ଷେତ୍ରରେ ଏହାକୁ ନେଇ ହିଂସା ବି ଉପୁଜୁଛି। ନିକ‌‌ଟରେ ମହାରାଷ୍ଟ୍ରର ଜଣେ ୧୧ ବର୍ଷୀୟ ବାଳକ ଏହି ଗେମ୍‌ ନିଷିଦ୍ଧ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ବିଭିନ୍ନ ବିଦ୍ୟାଳୟରେ ଏକ ଗେମ୍‌ର କୁପରିଣାମ ନେଇ ସଚେତନତା ସୃଷ୍ଟି ମଧ୍ୟ କରାଯାଇଛି। ତେବେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ନାବାଳକ ଛାତ୍ର ପିୟୁବିଜି ଗେମ୍‌ ପାଇଁ ଆତ୍ମହତ୍ୟା‌ କରିଛନ୍ତି। ମୁମ୍ବାଇର କୁର୍ଲା ନେହରୁ ନଗର ଅଞ୍ଚଳ ସ୍ଥିତ ଏହି ନାବାଳକ ଜଣକ ପିୟୁବିଜି ଗେମ୍‌ ଖେଳିବାରେ ଅତି ମାତ୍ରାରେ ଆସକ୍ତ ହୋଇ ଯାଇଥିଲେ। ଗେମ୍‌ ଖେଳିବାପାଇଁ ସେ ତାଙ୍କ ପରିବାର ସଦସ୍ୟଙ୍କଠାରୁ ୩୭,୦୦୦ ଟଙ୍କାର ଏକ ମୋବାଇନ୍‌ ଫୋନ୍‌ ଦାବି କରିଥିଲେ। ପରିବାର ସଦସ୍ୟ ତାଙ୍କ କଥାରେ ରାଜି ନହେବାରୁ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଶେଷରେ ମୋବାଇଲ୍‌ ଫୋନ୍‌ ନମିଳିବାରୁ ନାବାଳକ ଜଣଙ୍କ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି।
ଏହି ଘଟଣା ଅଭିଭାବକ ମହଲକୁ ସ୍ତବ୍ଧ କରିଦେଇଛି। ଗୁଜରାଟ ସରକାର ମଧ୍ୟ ନିକଟରେ ପ୍ରାଥମିକ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ଗେମ୍‌ ନିଷିଦ୍ଧ କରିବାପାଇଁ ନୋଟିସ୍‌ ଜାରି କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ କହିଥିଲେ ଯେ ପିଲାମାନଙ୍କୁ ବଳପୂର୍ବକ ଏଥିରୁ ବାରଣ କରିବ‌ା ପରିବର୍ତ୍ତେ ସେମାନଙ୍କ ମାନସିକତାକୁ ବୁଝି ଏହାର ଖରାପ ପ୍ରଭାବ ସଂପର୍କରେ ସଚେତନ କରାଇବାକୁ ହେବ।

ସମ୍ବନ୍ଧିତ ଖବର