ଗାଜିଆବାଦ: 'ରଙ୍ଗ୍ ରୁଟ' ନେଲା ୬ଜୀବନ। ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ମଙ୍ଗଳବାର ଏକ ଭୟାବହ ଦୁର୍ଘଟଣା ଘଟିଥିବା ବେଳେ ଏହି ଦୁର୍ଘଟଣାରେ ୬ଜଣକ ଜୀବନ ଯାଇଥିବା ଜଣାଯାଇଛି। ଜଣେ ସ୍କୁଲ ବସ ଚାଳକଙ୍କ ଭୁଲ ପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମିରଟରେ ରହୁଥିବା ଏହି ପରିବାର ଏକ ଟିୟୁଭି ୩୦୦କାରରେ ରାଜସ୍ଥାନର ଖାଟୁ ଶ୍ୟାମ ମନ୍ଦିର ପରିଦର୍ଶନ କରିବାକୁ ଯାଉଥିଲେ। କିନ୍ତୁ ଗାଜିଆବାଦର ଦିଲ୍ଲୀ ମିରଟ ଏକ୍ସପ୍ରେସୱେରେ ଏହି ସଡ଼କ ଦୁର୍ଘଟଣାରେ ସେମାନେ ପ୍ରାଣ ହରାଇଛନ୍ତି। ପରିବାରର ଦୁଇଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଏବେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ ମଧ୍ୟ ଏବେ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଗାଜିଆବାଦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗାଜିଆବାଦର ବିଜୟ ଛକ ନିକଟରେ ଟିୟୁଭି ୩୦୦ କାର ଏବଂ ଭୁଲ ପାର୍ଶ୍ବରୁ ଆସୁଥିବା ସ୍କୁଲ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ କାରରେ ବସିଥିବା ୬ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କାରର କବାଟକୁ କଟର ସାହାଯ୍ୟରେ କଟାଯାଇ ମୃତଦେହକୁ ବାହାର କରାଯାଇଥିଲା ବୋଲି ଜଣାପଡ଼ିଛି। ସ୍କୁଲ ବସ ଚାଳକ ଭୁଲ ପାର୍ଶ୍ବରେ ବସ୍ ଆଣୁଥିବା ସହ ଦ୍ରୁତଗତିରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଘଟଣା ଘଟିବା ସମୟରେ ସ୍କୁଲ ବସ୍ ଖାଲିଥିବା ସହ ଏବେ ପୁଲିସ ଅଭିଯୁକ୍ତ ଚାଳକକୁ ହେପାଜତକୁ ନେଇଛି।