ଗାଜିଆବାଦ୍‌ ଆତ୍ମହତ୍ୟା ମାମଲା : ମୁଖ୍ୟ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ : ଗାଜିଆବାଦ୍‌ ଆତ୍ମହତ୍ୟା ମାମଲାରେ ପ୍ରମୁଖ ସନ୍ଦିଗ୍ଧ ରାକେଶ ବର୍ମାକୁ ଗାଜିଆବାଦ୍‌ ପୁଲିସ ମୋହନ ନଗରରୁ ଗିରଫ କରିଛି। ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ମାମଲାରେ ପୁଲିସ ରା‌କେଶଙ୍କୁ ଗିରଫ କରିଛି। ରାକେଶଙ୍କ ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ଗୁରୁତ୍ବପୂର୍ଣ୍ଣ ସୂଚନା ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷେ ଗ‌ାଜିଆବାଦ୍‌ ବ୍ୟବସାୟୀ ଗୁଲ୍‌ସନ ବସୁଦେବଙ୍କ ବାସଭବନରେ କାନ୍ଥରେ ଟଙ୍ଗା ଯାଇଥିବା ସୁଇସାଇଡ୍‌ ନୋଟ୍‌ରେ ସମସ୍ତ ମୃତକଙ୍କୁ ତଥା ଗୁଲ୍‌ସନ୍‌ଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଏକାଠି ସତ୍କାର ପାଇଁ ଅନୁରୋଧ କରାଯାଇଛି। ପୁଲିସ କହିଛି ଯେ ଗୁଲ୍‌ସନ୍‌ଙ୍କ ପରିବାର ସଦସ୍ୟଙ୍କ ଇଚ୍ଛା ମୁତାବକ ସେମାନଙ୍କ ଶବ ଏକାଠି ସତ୍କାର କରିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଗୁଲ୍‌ସନ୍‌ ରାକେଶଙ୍କଠାରୁ ୨ କୋଟି ଟଙ୍କା ବିଭିନ୍ନ ଦେୟ ବାବଦରେ ପାଇବାକୁ ଥିବା ବେଳେ ରାକେଶ ତାଙ୍କୁ ଠକି ଚାଲିଥିଲେ। ଏ ସଂକ୍ରାନ୍ତରେ ଗୁଲ୍‌ସନ ତାଙ୍କ ବନ୍ଧୁ ରମେଶ ଆରୋରାଙ୍କୁ ଅବଗତ କରିଥିଲେ। ଉଲ୍ଲେଖଯୋଗ୍ୟ ଗୁଲ୍‌ସନ୍‌ ବସୁଦେବ ଗତକାଲି ତାଙ୍କ ପତ୍ନୀ ଏବଂ ମ୍ୟାନେଜରଙ୍କ ସହ ୮ ମହଲା ବାଲ୍‌କୋନିରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହା ପୂର୍ବରୁ ସେ ତାଙ୍କ ଦୁଇ ପୁଅ ଓ ଝିଅଙ୍କୁ ତଣ୍ଟି କାଟି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର