ୟୁପିରେ ପୁଣି ଭିଡ଼ହିଂସା : ପଥରମାଡ଼ରେ ପୁଲିସ ନିହତ

ଗାଜିପୁର : ଉତ୍ତର ପ୍ରଦେଶର ଗାଜିପୁରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୢାଲିରୁ ଫେରୁଥିବା ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। କିଛି ଦିନ ତଳେ ବୁଲନ୍ଦସହରରେ ଜଣେ ପୁଲିସ ଇନ୍ସପେକଟର ଭିଡ଼ହିଂସାରେ ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଏମିତି ଆକ୍ରମଣ ହୋଇଛି। ଏଥିରେ ଅନ୍ୟ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ନିହତ ‌କନେଷ୍ଟବଳ କାରିମୁଦ୍ଦିନ୍‌ପୁର ଥାନାରେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କ ନାମ ସୁରେଶ ବତ୍ସ ବୋଲି ଜଣାପଡ଼ିଛି। ନିଶାଦ ପାର୍ଟି ସମର୍ଥକମାନେ ସଂରକ୍ଷଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ ଚଳାଇଥିବା ବେଳେ ସେହି ରାସ୍ତା ଦେଇ ସେ ଫେରୁଥିଲେ। ବିକ୍ଷୋଭକାରୀମାନଙ୍କ ରାସ୍ତା ଅବରୋଧ ଯୋଗୁଁ ଶହ ଶହ ଗାଡ଼ି ଅଟକି ରହିଥିଲା। ଏହାଦେଖି ପୁଲିସ କର୍ମଚାରୀ ହସ୍ତକ୍ଷେପ କରିଥିଲେ। ତେବେ ଏଥିରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଜଣେ ବି‌କ୍ଷୋଭକାରୀ ଏକ ବଡ଼ ପଥରରେ ସୁରେଶଙ୍କୁ ଆଘାତ କରିଥିବା ଜଣାପଡ଼ିଛି। ଆକ୍ରମଣ ପରେ ସେମାନେ ଫେରାର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରେ ଅଧିକ ପୁଲିସ ଫୋର୍ସ ପହଂଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ରାତି ୧୦ଟା ସୁଦ୍ଧା ୮ ଜଣ ଆକ୍ରମଣକାରୀ
ଗିରଫ ହୋଇଛନ୍ତି। ମୃତ କନେଷ୍ଟବଳଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ଅନେକ ବିଜେପି ନେତା ଓ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ବୁଲନ୍ଦସର୍‌ ଜିଲ୍ଲାରେ ଘଟିଥିବା ଭିଡ଼ ହିଂସାରେ ପୁଲିସ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଅନେ ପ୍ରମୁଖ ଅଭିଯୁକ୍ତଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫଡ଼ କରିପାରିନାହିଁ।

ସମ୍ବନ୍ଧିତ ଖବର